ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ଶିଶୁ ପାଇଁ ଦିନଟିଏ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଶୁ ହସିଲେ, ଦୁନିଆ ହସେ । ତେଣୁ ପ୍ରତ୍ୟେକ ଶିଶୁ ମୁହଁରେ ହସ ଭରିଦେବା ପାଇଁ ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ଭୁବନେଶ୍ୱର ତରଫରୁ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଏସ୍ସିପିସିର ସଦସ୍ୟା ଦିବ୍ୟା ଶାଶ୍ୱତୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଏକ ଉତ୍ତମ ଭବିଷ୍ୟତ ଏବଂ ଶିଶୁ ଶ୍ରମିକ ଦୂର କରି, ଶିଶୁ ଶିକ୍ଷାକୁ ଗୁରତ୍ୱ ଦେବା ଉପରେ ଆଲୋକପାତ କରିଥିଲେ । ସମାଜସେବୀ ସମ୍ବିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏକ ସୁନ୍ଦର ପରିବେଶ ପାଇଁ ଶିଶୁମାନେ ଆଗକୁ ଆସନ୍ତୁ ବୋଲି କହିଥିଲେ । ସ୍ୱେଚ୍ଛାସେବୀ ସେବା କେନ୍ଦ୍ରର ସମ୍ପାଦକ ବାପି ନାୟକ କହିଥିଲେ ଯେ, ସମାଜରୁ ସମସ୍ତ ଶିଶୁ ଶ୍ରମିକ ଓ ବାଲ୍ୟବିବାହକୁ ବନ୍ଦ କରିବା ଦରବାର । ଏଥିପାଇଁ ପ୍ରତ୍ୟେକ ସଚେତନ ନାଗରିକଙ୍କ ଠାରୁ ଆରମ୍ଭ କରି ଯୁବପିଢିମାନେ ଧ୍ୟାନ ଦେବା ଉଚିତ୍ । ଏହି ଅବସରରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରେ ଅନ୍ଲାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୦ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ୱୟଂ ସମ୍ପତ ସ୍ୱାଗତ ଭାଷଣ ଦେଇଥିବା ବେଳେ ବୀଣାପାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ରୂପାଲି ଦଳାଇ, ପ୍ରିୟରଞ୍ଜନ ଉଡ଼ାନସିଂ, ଭାଗିରଥୀ ନାୟକ, ରାଜେନ୍ଦ୍ର ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


