ସରକାରୀ ନିର୍ଦ୍ଦେଶ ମାନୁନଥିବାରୁ ବାହାନଗା ସିଡିପିଓଙ୍କ ଅଫିସ୍ ଘେରାଉ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୬ ତାରିଖ ଶୁକ୍ରବାରଦିନ ବାହାନଗା ଶିଶୁ ବିକାଶ ପ୍ରକଳ୍ପ ଅଫିସର (ସିଡିପିଓ)ଙ୍କ ଅଫିସ୍ ଚଳିତମାସ ୨୬ ତାରିଖରେ ଘେରାଉ ପାଇଁ ଏଆଇଟିୟୁସି ସହବନ୍ଧିତ ଅଙ୍ଗନୱାଡ଼ିକର୍ମୀ ଓ ସହାୟିକା ସଂଘ ନିଷ୍ପତ୍ତି ଗ୍ରହଣ କରିଛି । ବରିଷ୍ଠ ଶ୍ରମିକନେତା ରତ୍ନାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ଜିଲ୍ଲା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ରାଜ୍ୟ ସରକାରଙ୍କ ଲିଖିତ ନିର୍ଦ୍ଦେଶକୁ ବାହାନଗା ସିଡିପିଓ ମାନୁନଥିବାରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସଂପର୍କରେ ବୈଠକରେ କର୍ମୀମାନେ ଅଭିଯୋଗ କରିଥିଲେ । ଅଙ୍ଗନୱାଡ଼ିରେ ଶିଶୁମାନଙ୍କୁ ପୋଷାକ ପାଇଁ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଭିତ୍ତିଭୂମି ନଥିବା କେତେକ ସ୍ୱେଚ୍ଛାସେବୀ ସଂଗଠନକୁ ସିଡିପିଓ ପୋଷାକ ପାଇଁ ଆଦେଶ ପ୍ରଦାନ କରିଛନ୍ତି । ଉକ୍ତ ସ୍ୱେଚ୍ଛାସେବୀ ସଂଗଠନମାନେ ବଜାରରୁ ଶସ୍ତା ପୋଷାକ କିଣି ଶିଶୁମାନଙ୍କୁ ବଣ୍ଟନ ପାଇଁ ପ୍ରଦାନ କରୁଛନ୍ତି । ଏହାର ପ୍ରତିବାଦରେ ସିଡିପିଓଙ୍କ ଅଫିସ୍ ସମ୍ମୁଖରେ ଶତାଧିକ କର୍ମୀ ଓ ସହାୟିକାମାନେ ଗତମାସରେ ୪ଦିନ ଧାରଣାରେ ବସିବାପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହାନଗା ସିଡିପିଓଙ୍କୁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଶିଶୁମାନଙ୍କ ପୋଷାକ କିଣିବା ପାଇଁ କୁହାଯାଇଥିଲା । କିନ୍ତୁ ସିଡିପିଓ ଏହି ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ପୁନଶ୍ଚ ସେହି ନିମ୍ନମାନର ପୋଷାକ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଶିଶୁମାନଙ୍କ ଅଭିଭାବକଙ୍କର ସହଯୋଗରେ ମିଳିତ ବିକ୍ଷୋଭ ଓ ଘେରାଉ ପାଇଁ ବୈଠକରେ ନିଷ୍ପତ୍ତି ନେଇଥିବା ସଂପର୍କରେ ସଂଘର ସଂପାଦିକା ଗୌରୀ ଦାସ ପ୍ରକାଶ କରିଛନ୍ତି । ସିଡିପିଓ କର୍ମୀ ଓ ସହାୟିକାମାନଙ୍କୁ ଅଭଦ୍ରୋଚିତ ଭାଷା ପ୍ରୟୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।ମଙ୍ଗଳବାର ଦିନ ବୈଠକରେ ବିଭିନ୍ନ ବ୍ଲକ୍ କମିଟି ପକ୍ଷରୁ କବିତା ମହାନ୍ତି, ରେଣୁବାଳା ପାତ୍ର, କଳ୍ପନା ଦାସ, ଆରତୀ ଦାସମହାପାତ୍ର, ସବିତା ମଲ୍ଲିକ, ଜ୍ୟୋତ୍ସ୍ନା ପାତ୍ର, ଅନୁସୂୟା ଦଳେଇ, ନିର୍ମଳା ପାଣିଗ୍ରାହୀ, ସଂଯୁକ୍ତା ଦାସ, ସୁବାସିନୀ ମିଶ୍ର, ସୁନନ୍ଦା ତାଲଦି, ପୂର୍ଣ୍ଣିମା ସି, ତପସ୍ୱିନୀ ବିଶ୍ୱାଳ ଓ ପ୍ରଣତି ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଆଇଟିୟୁସିର ରାଜ୍ୟ ଉପ ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ସଂପାଦକ ମାୟାଧର ନାୟକ ଓ ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ