ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱରରେ ପାଳିତ ହୋଇଛି ସଦର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତ(ମଙ୍ଗୁ ଭାଇ)ଙ୍କ ଷଷ୍ଠ ପୂଣ୍ଣ୍ୟତିଥି । ଏହି ଅବସରରେ ବାଲେଶ୍ୱର ସହରର ଓଟି ରୋଡ ସ୍ଥିତ ଶୋଭାରାମପୁର ଛକ ଠାରେ ସ୍ୱର୍ଗତଃ ଦତ୍ତଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ଓ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଙ୍ଗୁ ଭାଇ ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ତଥା ଓଡିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସଞ୍ଜିବ ଗିରି, ବିଶିଷ୍ଟ ଶିଳ୍ପଦ୍ୟୋଗୀ ସଂଗ୍ରାମ ଦାସ, ଓରିପ୍ଲାଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଜୟ କୁମାର ଡାଭେ, ବାଲେଶ୍ୱର ଲାୟନ୍‌ସ କ୍ଲବ ସଭାପତି ଶିବୁ ପୋଦାର, ବିଶିଷ୍ଟ ବ୍ୟବସାୟୀ ଭଗବାନ ଗୁପ୍ତା ଓ ଲକ୍ଷ୍ମୀନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ମଙ୍ଗୁଭାଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସାଧାରଣ ଜନମାନସରେ ସ୍ୱର୍ଗତଃ ମଙ୍ଗୁଭାଇଙ୍କ ଜୀବନୀର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଓଡିଶାରେ ରାଷ୍ଟ୍ରବାଦୀ ଚିନ୍ତାଧାରାରେ ଶାସନ ବ୍ୟବସ୍ଥା ଆଣିବାକୁ ଯେଉଁ କେତେଜଣ ନିଜର ଜୀବନ ଉତ୍ସର୍ଗ କରିଛନ୍ତି ସେମାନଙ୍କ ମଧ୍ୟରୁ ମଙ୍ଗୁ ଭାଇ ଅନ୍ୟତମ । ତୃଣମୂଳସ୍ତର ଜନସାଧାରଣଙ୍କ ସେବା ପ୍ରତି ଆବେଗ ତାଙ୍କୁ ଜନନେତାରେ ପରିଣତ କରିପାରିଥିଲା । ମଙ୍ଗୁଭାଇ କେବଳ ଗୋଟିଏ ନାମ ନୁହେଁ, ପ୍ରାୟ ସମସ୍ତଙ୍କ ଅତ୍ୟନ୍ତ ଆପଣାର ମଣିଷ ଥିଲେ ସେ । ସେଇଥିପାଇଁ ମଦନ ମୋହନ ଦତ୍ତ ଅପେକ୍ଷା ସମସ୍ତଙ୍କ ନିକଟରେ ମଙ୍ଗୁଭାଇ ଭାବେ ପରିଚିତ । ସେହି ଆଦର୍ଶକୁ ଆଗେଇ ନେବାରେ ତାଙ୍କ ସୁପୁତ୍ର ସଦର ବିଧାୟକ ମାନସ ଦତ୍ତ ସଫଳତାର କାର୍ଯ୍ୟ କରୁଛନ୍ତି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବକ୍ତବ୍ୟ ପ୍ରଦାନ ମାଧ୍ୟନରେ ମଙ୍ଗୁଭାଇଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏକାଧିକ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ସେହିପରି ଅର୍ଥାଭାବରୁ ପାଠ ପଢିବାରେ ସମସ୍ୟା ଭୋଗୁଥିବା ଜନୈକ ଛାତ୍ରଙ୍କୁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ମଙ୍ଗୁ ଭାଇ ସ୍ମୃତି କମିଟିର ଅଧ୍ୟକ୍ଷା ସମାଜସେବୀ ଅଞ୍ଜଳି ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ପରିଚାଳନା କରିଥିଲେ । ଶେଷରେ ଗୌରାଙ୍ଗ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ସ୍ଥାନୀୟ ରାଜସ୍ଥାନ ଭବନ ପରିସରରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ର ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମଙ୍ଗୁଭାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ଯୁବକ ଯୁବତୀ ସ୍ୱେଚ୍ଛକୃତ ଭାବେ ରକ୍ତଦାନ ପାଇଁ ରୁଣ୍ଡ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ଶିବିର ଶେଷ ସୁଦ୍ଧା ୨୭୪ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏଥିରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବସ୍ତା ବିଧାୟିକା ସୁବସିନୀ ଜେନା, ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଶିଳ୍ପ ପତି ସଞ୍ଜୟ ଦାସ, ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ