ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜାତୀୟ ପ୍ରେସ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ପତ୍ରସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଓ ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ୱେବିନାରରେ ବହୁ ବିଶିଷ୍ଟ ବକ୍ତା ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନକୁ ଲୋକଭିମୁଖୀ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ପ୍ରାରମ୍ଭିକ ଅଭିଭାଷଣ ଦେଇ ପତ୍ରସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ସ୍ୱାଧୀନତା ଆନ୍ଦୋଳନ କାଳରେ ଗଣମାଧ୍ୟମଗୁଡିକୁ ଇଂରେଜ ଶାସକମାନଙ୍କ ଆକ୍ରୋଶର କିପରି ଶୀକାର ହେବାକୁ ପଡିଥିଲା ତା’ର ନଜିରମାନ ଦେଇଥିଲେ । ଏପରିକି ସ୍ୱାଧୀନତା ସଂଗ୍ରାମ ଗଣମାଧ୍ୟମ ଜରିଆରେ ଅଧିକ ଲୋକାଭିମୁଖୀ ହେଉଥିବାରୁ ଭର୍ଣ୍ଣାକୁଲାର ପ୍ରେସ ଆଇନ ମଧ୍ୟ ଲାଗୁ କରିବାକୁ ହୋଇଥିଲା । ବର୍ତମାନ ସାମାଜିକ ଗଣମାଧ୍ୟମ ଯେପରି ମୁଣ୍ଡ ଟେକିବା ଆରମ୍ଭ କରିଛି ଗଣମାଧ୍ୟମରେ ତଥ୍ୟ ଯାଂଚ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିରେ ଯୋଗଦେଇ ବରିଷ୍ଠ ଆଇନଜ୍ଞ ଓ ଲେଖକ ସଦାଶିବ ଦାସ ସ୍ୱାଧୀନତା ଆନ୍ଦୋଳନ୍ କାଳରେ ଜଗଜାଗରଣ ସୃଷ୍ଟି କରିବାରେ ସେତେବେଳେ ଗଣମାଧ୍ୟମ ବୋଇଲେ ମୁଖ୍ୟତଃ ଖବରକାଗଜ, ପୋଷ୍ଟର ଇତ୍ୟାଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ । ଓଡିଶାରେ ମଧ୍ୟ କର୍ମବୀର ଗୌରୀଶଙ୍କର ବା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଲେଖାମାନ ବେଶ୍ ଆଦୃତ ହେଉଥିଲା । ସମ୍ବାଦଗୁଡିକ ଆନ୍ଦୋଳନର ଅଗ୍ନି ସଂଯୋଗକାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ସେ କହିଥିଲେ । ଏଥିରେ ଯୋଗଦେଇ ବିଶିଷ୍ଟ କବି ଓ ସାମ୍ବାଦିକ ପୀତାମ୍ବର ତରାଇ ଜନସତେନତାର ବାର୍ତାବହ ଭାବେ ସ୍ୱାଧୀନତା ସଂଗ୍ରାମରେ ଖବରକାଗଜ ଖୁବ୍ ଉପାଦେୟ ଭୂମିକା ତୁଲାଇଥିଲା ବୋଲି କହିଥିଲେ । ୱେବିନାରେ ଅଂଶଗ୍ରହଣ କରି କିଟ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ରୁବି ନନ୍ଦ କହିଥିଲେ ଯେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ପହଂଚାଇବାରେ ଗଣମାଧ୍ୟମ ସ୍ୱାଧୀନତା ସଂଗ୍ରାମ କାଳରେ ବଳିଷ୍ଠ ଭୂମିକା ତୁଲାଇଥିଲା । ପ୍ରେସ ସେତେବେଳେ ଗୋଟେ ମିଶନ ମୋଡ କାର୍ଯ୍ୟ ଥିବାରୁ ଏହା ବେଶ୍ ଜନାଭିମୁଖୀ ହୋଇପାରିଥିଲା । ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମକୁ ନ ଯୋଡିବାକୁ ସେ ପରାମର୍ଶ ଦେଇଥିଲେ । ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୱେବିନାରରେ ଆନ୍ନି ଶତପଥୀ ଏହାକୁ ପରିଚାଳନା କରିଥିବାବେଳେ, ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ସ୍ୱାଗତ ଭାଷଣ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ