ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା) : ଏଣିକି ଘରଠୁ ୫ ମିଟର ଦୂରତ୍ୱରେ ମଇଳା କିମ୍ବା ଅପରିଷ୍କାର ରହିଲେ ଜରିମାନା ଆଦାୟ କରାଯିବ । ସଂପୃକ୍ତ ଘର ମାଲିକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ ହେବ । ସେହିପରି ଦୋକାନ ସମ୍ମୁଖରେ ମଇଳା କିମ୍ବା ଅପରିଷ୍କାର ରହେ ତେବେ ସଂପୃକ୍ତ ଦୋକାନୀ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ପାଇଁ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସହରାଞ୍ଚଳ ର ମିସନ ଜିରୋ ‘ଜିପିଏସ୍ ’ ସମ୍ବନ୍ଧୀୟ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ କରି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ସହରାଞ୍ଚଳ ଗୁଡିକର ସୌନ୍ଦର୍ଯ୍ୟକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସହରର ସଫାସୁତରା ଠାରୁ ଆରମ୍ଭ କରି ସ୍ମାର୍ଟ ପାର୍କ, ସ୍ମାର୍ଟ ରାସ୍ତା, ସ୍ମାର୍ଟ ଶ୍ମଶାନ ଏବଂ ବିଭିନ୍ନ ବିକାଶ ମୂଳକ କାମ ଜାରି ରହିଛି । ଏହି କ୍ରମରେ ସମସ୍ତ ସହରକୁ ସଫାସୁତରା ରଖିବା ଲାଗି ପ୍ରଶାସନକୁ ସହଯୋଗ କରିବା ପାଇଁ ସହରବାସୀଙ୍କ କର୍ତ୍ତବ୍ୟ ରହିଛି । ଯେଉଁ ସ୍ଥାନରେ ସଫାସୁତାର ହେଉ ନାହିଁ ‘ସଫା’ ଆପ୍ ମାଧ୍ୟମରେ ସଂପୃକ୍ତ ସହରାଞ୍ଚଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପାରିବ । ଏହାସହ ସହରର ବିଭିନ୍ନ ୱାର୍ଡର ସମସ୍ୟା ଗୁଡିକୁ ମଧ୍ୟ ଏହି ଆପ୍ ମାଧ୍ୟମରେ ଜନସାଧାରଣ ଜଣାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ସପ୍ତାହର ପ୍ରତ୍ୟେକ ସୋମବାର ଦିନ ସହରର ଥିବା ପୋଖରୀ ଗୁଡିକୁ ସଫାସୁତରା କରାଯିବ । ସ୍ୱଚ୍ଛତା ଉପରେ ସହରବାସୀଙ୍କୁ ପ୍ରତ୍ୟେକ ସମୟରେ ସଚେତନତା କରାଯିବ । ସହରରେ ବୁଲୁ ଥିବା ଗାଇଗୋରୁଙ୍କୁ ଉଠାଇବା କାର୍ଯ୍ୟକୁ ଜୋରଦାର କରାଯିବ । ସେମାନଙ୍କୁ ରଖିବା ପାଇଁ ପ୍ରତି ସହରରେ ଜାଗା ଚିହ୍ନଟ କରିବା ପାଇଁ କୁହାଯାଇଛି । ପ୍ରତ୍ୟେକ ଘରର ଜଣ ଜଣ କୁ ସାମିଲ କରାଯାଇ ୱାର୍ଡ କମିଟି ବୈଠକ ନିୟମିତ ଭାବେ କରାଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବ । ସହରର ସମସ୍ତ ସୌନ୍ଦର୍ଯ୍ୟୀକରଣ ସ୍ଥାନ ଗୁଡିକ ସଫାସୁତାର ରହିବ । ସହରର ମଧ୍ୟରେ ରେ ଥିବା କୌଣସି ଗଛରେ କଣ୍ଟା କିମ୍ବା ବିଜ୍ଞାପନ ସମ୍ବନ୍ଧୀୟ ବୋର୍ଡ ଲଗାଯିବ ନାହିଁ । ସେହିପରି ସହର ଗୁଡିକରେ ଚାଲିଥିବା ସମସ୍ତ ଉନ୍ନୟନ ପ୍ରକଳ୍ପ କାମ ଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଘରକୁ ଘର ପାନୀୟ ଜଳ ଯୋଗାଣ ଲାଗି ପାଇପ୍ ଲାଇନ୍ ସଂଯୋଗୀକରଣ କାର୍ଯ୍ୟକୁ ଡିସେମ୍ବର ଶେଷ ସୁଦ୍ଧା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସହରର ପରିମଳକୁ ସୁଧାର ଆଣିବାକୁ ନେଇ ଦୈନିକ ଦିନ ସହ ରାତି ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ସେହିପରି ‘ମୁକ୍ତା’ ଯୋଜନା ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ମିସନ୍ ଶକ୍ତି ଗୃହ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଜାଗା ଚିହ୍ନଟ କରି ଗୃହ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ସହରାଞ୍ଚଳର ବିଭିନ୍ନ ଟିକସ ଆଦାୟକୁ ମଧ୍ୟ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକଙ୍କ ସମେତ ସମସ୍ତ ସହରାଞ୍ଚଳର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ