ଜିନ୍ଦଲ ଲୁହାପଥର ଗୁଣ୍ଡ ଷ୍ଟକୟାର୍ଡରୁ ଅଚିହ୍ନା ମୃତଦେହ ଉଦ୍ଧାର

ଯୋଡ଼ା, (ଯୁଗାଦ୍ଦ ନ୍ୟୁଜ): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ତଥା ବିଲେଇପଦା ଫାଣ୍ଡି ଅଧିନସ୍ଥ ଦେଓଝର ଠାରେ ଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓାର ଲିମିଟେଡ୍ କାରଖାନାର ଲୁହାପଥର ଗୁଣ୍ଡ ଷ୍ଟକୟାର୍ଡରୁ ଏକ ଅଚିହ୍ନା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଶୁକ୍ରବାର ଦିନ ପ୍ରାୟ ୧୨.୩୦ ମିନିଟ୍ ସମୟରେ ଜିନ୍ଦଲ କାରଖାନାର ୨ନଂ ଲୁହାପଥର ଗୁଣ୍ଡ ଷ୍ଟକୟାର୍ଡରୁ ପେ-ଲୋଡର ମେସିନ୍ ସାହାଯ୍ୟରେ ଲୁହାପଥର ଗୁଣ୍ଡ ଉଠାଯାଉଥିବା ବେଳେ ଷ୍ଟକୟାର୍ଡରେ ଏକ ମୃତଦେହ ପଡିଥିବା ମେସିନ୍ ଅପରେଟର ଦେଖିବାକୁ ପାଇ କମ୍ପାନୀ ଅଧିକାରୀମାନଙ୍କୁ ଜଣାଇଥିଲେ । ଲୁହାପଥର ଗୁଣ୍ଡ ଉଠାଯାଉଥିବା ବେଳେ ମୃତଦେହର ମୁଣ୍ଡଟି ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବା ବେଳେ ଆଣୁରୁ ଗୋଡ ଯାଏଁ ଆଂଶିକ ମେସିନ୍ ଅପରେଟର ଦେଖିବାକୁ ପାଇଥିଲେ । ଜିନ୍ଦଲ କମ୍ପାନୀ ପକ୍ଷରୁ ଘଟଣା ସମ୍ପର୍କରେ ସ୍ଥାନୀୟ ବିଲେଇପଦା ଫାଣ୍ଡିକୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ଓ ଯୋଡା ଥାନା ସବଇନ୍ସପେକ୍ଟର ଅନିଲ କୁମାର ସାମଲ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ ଆରମ୍ଭ କରିଥିଲେ । ସବଇନ୍ସପେକ୍ଟର ସାମଲ କହିଛନ୍ତି ଯେ,ମୃତ ଦେହର କୌଣସି ପରିଚୟ ମିଳିପାରି ନାହିଁ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ୍ ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିବା ପରେ ଜଣାପଡିଥିଲା ଯେ, ମୃତଦେହଟି ପୁରୁଷର । ମୃତଦେହର ମୁହଁ କୁ ଗାମୁଛାରେ ବନ୍ଧା ଯାଇଥିବା ବେଳେ ହାତ ଓ ଗୋଡକୁ ବାନ୍ଧି ଦିଆଯାଇଥିଲା । ପୋଲିସ ଏହାର ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମ୍ପର୍କରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓାର ଲିମିଟେଡ୍ (ଜେଏସପିଏଲ) କମ୍ପାନୀର ମାନବ ସମ୍ବଳ ଉପମୁଖ୍ୟ ଶଶାଙ୍କ ଶେଖର ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଭିନ୍ନ ଖଣିରୁ ଲୁହାପଥର ଗୁଣ୍ଡ ଟ୍ରକରେ ପରିବହନ ହୋଇ କାରଖାନାକୁ ଆସି ଉକ୍ତ ଷ୍ଟକୟାର୍ଡରେ ଗଛିତ ହେଉଛି । ଏହି ପରିବହନ ବେଳେ କୌଣସି ଏକ ଟ୍ରକରେ ମୃତଦେହଟି ବୋଝେଇ ହୋଇ ବାହାର ଅଂଚଳରୁ ଏଠାକୁ ଚାଲିଆସିଥିବା ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ