କରୋନା କଟକଣା ମଧ୍ୟରେ ଫିକା ପଡ଼ିଲା ମାଆ ବୁଢାକେନ୍ଦୁଙ୍କ କାର୍ତ୍ତିକ ପୂର୍ଣ୍ଣମୀ ଯାତ୍ରା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶକ୍ତି ପୀଠ ତଥା ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ନିକଟସ୍ଥ ମାଆ ବୁଢାକେନ୍ଦୁ ପୀଠରେ ମାଆଙ୍କ କାର୍ତ୍ତିକ ପୂର୍ଣ୍ଣମୀ ଯାତ୍ରା କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I କିନ୍ତୁ ପ୍ରତି ବର୍ଷ ଅପେକ୍ଷା ଚଳିତ ବର୍ଷ ଯାତ୍ରା ଫିକା ପଡିଛି I ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଗଞ୍ଜାମ ସମେତ ପଡ଼ୋଶୀ ଫୁଲବାଣୀ ଏବଂ ଗଜପତିରୁ ଲକ୍ଷାଧିକ ଭକ୍ତଙ୍କ ମାଆଙ୍କ ଯାତ୍ରା ଦେଖିବାକୁ ଆସୁଥିବା ବେଳେ ଗତ ବର୍ଷ କରୋନା ଯୋଗୁଁ ମାଆଙ୍କ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା I ଚଳିତ ବର୍ଷ କରୋନା କଟକଣା କୋହଳ ଥିବାରୁ ମନ୍ଦିର କମିଟି ଯାତ୍ରା କରିବାକୁ ସ୍ଥିର କରିଥିବା ବେଳେ ଶେଷ ମୁହୂର୍ତ୍ତରେରେ କିନ୍ତୁ ଯାତ୍ରା ପାଇଁ ପୋଲିସ୍ ପ୍ରଶାସନ ଯାତ୍ରା କରିବାକୁ ବାରଣ କରିବାରୁ ସବୁ କିଛି ବିଗିଡ଼ି ଯାଇଥିଲା I ଫଳରେ ମନ୍ଦିର ପାଖରେ ବ୍ୟବସାୟ ବାଣିଜ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିବ ବେଳେ ଭକ୍ତ ସମାଗମ ମଧ୍ୟ କମିଯାଇଥିଲା I ପ୍ରଶାସନର ବାରଣକୁ ଭୃକ୍ଷେପ ନକରି ଆଜି ମାତ୍ର ୧୦୦୦୦ଭକ୍ତ ମାଆଙ୍କ ଦର୍ଶନ ପାଇଁ ଆସିଥିବା ମନ୍ଦିର କମିଟି ନିକଟରୁ ସୂଚନା ମିଳିଛି I ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ଯାତ୍ରାକୁ ଆସୁଥିବା ଲକ୍ଷାଧିକ ଭକ୍ତ, କାନିକା ଭୋଗ, ଦୋକାନ ବଜାର, ସାଇକେଲ୍ ଷ୍ଟାଣ୍ଡ,ଗାଡ଼ି ଷ୍ଟାଣ୍ଡରୁ ପ୍ରାୟ ଛଅ ସାତ ଲକ୍ଷ ଟଙ୍କା ଆଦାୟ ହେଉଥିବା ବେଳେ ଏହି ଅର୍ଥରେ ବର୍ଷ ସାରା ମାଆଙ୍କ ଭୋଗ ଖର୍ଚ୍ଚ ଉଠିଥାଏ I କିନ୍ତୁ ଦୁଇବର୍ଷ ହେବ ମାଆଙ୍କ ବାର୍ଷିକ ଯାତ୍ରା ବନ୍ଦ ରହିଥିବାରୁ ମାଆଙ୍କ ଦୈନନ୍ଦିନ ଭୋଗ ଖର୍ଚ୍ଚ କେମିତି ଭରଣା କରାଯିବ ସେ ନେଇ ମନ୍ଦିର କମିଟି ଚିନ୍ତା ପ୍ରକଟ କରିଛି I ଆଜି କଟକଣା ମଧ୍ୟରେ ସକାଳ ସାତଟାରେ ମାଆଙ୍କ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଅଳ୍ପ କିଛି ଅଟୋ ଏବଂ ମୋଟରସାଇକେଲ୍ ରେ ଭକ୍ତ ଆସିଥିବା ବେଳେ ରାସ୍ତା ପାର୍ଶ୍ୱରେ ଅଳ୍ପ କିଛି ଖେଳନା ଦୋକାନ ପଡ଼ିଥିବାର ଦେଖିବାକୁ ମିଳିଥିଲା I ବିଶେଷ କରି ମାର୍ଗଶୀର ମାସ ମାଣବସା ଗୁରୁବାର ପୂଜା ପାଇଁ ଯାବତୀୟ ଘର କରଣା ଅଞ୍ଚଳବାସୀ ବୁଢାକେନ୍ଦୁ ଯାତ୍ରାରୁ କିଣୁଥିବା ବେଳେ ଚଳିତ ବର୍ଷ ଯାତ୍ରାରେ ବ୍ୟବସାୟ ବନ୍ଦ ଯୋଗୁଁ ଏହି ସବୁ ଜିନିଷ ପାଇବାରେ ସମସ୍ୟା ଦେଖାଯିବ ବୋଲି ବାହୁ ଭକ୍ତ ପ୍ରକାଶ କରିଛନ୍ତି I


