ପ୍ରତିଶୋଧ ନେବାକୁ ଭଲ ପାଉଥିଲେ ଏଲି !

ସ୍କୁଲରେ ପଢ଼ିବା ବେଳେ ଅଭିନେତ୍ରୀ ଏଲି ପାଢ଼ୀ ପ୍ରତିଶୋଧ ନେବାକୁ ଭଲ ପାଉଥିଲେ । ଯଦି ତାଙ୍କୁ କେହି ବିରୋଧ କରୁଥିଲା, ତା’ହେଲେ ସେ ତାଙ୍କୁ ହଇରାଣ କରୁଥିଲେ । ଏମିତିକି ନିଜ ଗ୍ରୁପକୁ ନେଇ ତାଙ୍କୁ ପିଟିବାକୁ ବି ପଛାଉ ନଥିଲେ । ଏ କଥା ଆମେ କହୁନୁ, ଏଲି ନିଜେ କହିଛନ୍ତି ।
ତରଙ୍ଗ ମ୍ୟୁଜିକରେ ପ୍ରସାରିତ ହେଉଥିବା ଟକ୍ ଶୋ’ “ସିକ୍ରେଟ୍ ଷ୍ଟୋରିଜ୍ ଅଫ୍ ସେଲେବ୍ରେଟି’ର ଏକ ଏପିସୋଡରେ ଯୋଗଦେଇ ସେ ଏ କଥା କହିଥିଲେ । ଶୋ’ର ହୋଷ୍ଟ୍ ତାଙ୍କୁ ତାଙ୍କ ଜୀବନର ତିନୋଟି ସିକ୍ରେଟ୍ ଶେଆର କରିବାକୁ କହିଥିଲେ । ସେ ସମୟରେ ଏଲି ଏହି ପ୍ରତିଶୋଧ କଥା କହିଥିଲେ । ସେ କହିଥିଲେ ଯେ ପିଲାଦିନେ ଯେତେବେଳେ କେହି ପଡ଼ୋଶୀ ତାଙ୍କୁ ଗାଳି କରୁଥିଲେ ସେ ରାତି ଅଧରେ ଯାଇ ତାଙ୍କ ବାଡ଼ିରେ ଲାଗିଥିବା ଫୁଲ ଗଛଗୁଡ଼ିକୁ କାଟି ଦେଉଥିଲେ । ସେହିଭଳି ସ୍କୁଲରେ ଅନ୍ୟ ପିଲାମାନଙ୍କୁ ଧମକେଇ ସେ ନିଜ ଗ୍ରୁପରେ ସାମିଲ୍ କରୁଥିଲେ । ଯଦି କେହି ତାଙ୍କ ସାଙ୍ଗ ହେବାକୁ ମନା କରୁଥିଲା, ତା’ହେଲେ ତାଙ୍କୁ ପିଟିବାକୁ ବି ସେ ପଛାଉ ନଥିଲେ ।
ଏମିତିକି ଏଲି ସ୍କୁଲରେ ଚିଟ୍ କରି ଦୌଡ଼ ପ୍ରତିଯୋଗିତା ବି ଜିତିଥିଲେ । ତାଙ୍କ ଆଗରେ କେହି ଧାଇଁଲେ ସେ ତାଙ୍କୁ ଧକ୍କା ମାରି ପକାଇ ଦେଉଥିଲେ ବୋଲି ବି କହିଥିଲେ ।
ସୂଚନାଯୋଗ୍ୟ, “ତାଜା ଖବର’ ଓ “ଷୋହଳ ପୂରି ସତର ହେବ’ ଆଦି ଆଲବମରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏଲି “ଫିଅର ଅଫ୍ ଦ ଇୟର’ ସିନେମାରେ ଲିଡ୍ ରୋଲରେ ନଜର ଆସିଥିଲେ । ଏଥିସହ “ତୁଳସୀ’, “ସିନ୍ଦୂର’, “ଅପା’, “ବଧୂ’, “ଅବୁଝା ମନ’, “ଟୁପୁର୍ ଟାପର’ ସିରିଏଲରେ ମଧ୍ୟ ସେ ଅଭିନୟ କରିଥିଲେ । ଏହାଛଡ଼ା ଏଲି ଅନେକ ଟିଭି ଶୋ’ର ଉପସ୍ଥାପିକା ଭାବେ ମଧ୍ୟ କାମ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ