ଦିବ୍ୟାଙ୍ଗ ପୁଅର କୁତ୍ରିମ ହାତ ଲଗାଇବା ଲାଗି ଅର୍ଥ ସାଜିଛି ବାଧକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଗ୍ରାମର ତୁଳସୀ ନଗରରେ ରହୁଥିବା ଅର୍ଜୁନ ବଡମୁଣ୍ଡିଙ୍କ ପୁଅ ସିଦ୍ଧାର୍ଥ ବଡମୁଣ୍ଡି (୧୪)ଙ୍କ ହାତ କଟିଯାଇଥିବା ହେତୁ ବାପା ପୁଅର ଦୁଖଃ ସହିନପାରି କୁତ୍ରିମ ହାତ ଲଗେଇବା ଲାଗି ଅହରହ ପ୍ରୟାସ କରୁଛନ୍ତି । ହେଲେ ଅର୍ଜୁନ ଜଣେ ଗରିବ ଶ୍ରେଣୀର ହୋଇଥିବା ହେତୁ ନିଜ ପୁଅପାଇଁ କୁତ୍ରିମ ହାତ ଲଗାଇବାରେ ଅସମର୍ଥ ହୋଇପଡିଛନ୍ତି । ସୂଚନାରୁ ପ୍ରକାଶ ଯେ, ଗତ ଦୁଇବର୍ଷ ତଳେ ସିଦ୍ଧାର୍ଥ ଗୋରୁ ଗାଇ ଚରାଇବାକୁ ଯାଇଥିବାବେଳେ କୌଣସି ଏକ କାରଣ ବଶତଃ ତଳେ ପଡି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାମ ହାତଟି ବିତ୍ୟୁତ ତାର ସଂସ୍ପର୍ଶରେ ଆସି ବାମ ହାତରେ ଆଘାତ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତାଙ୍କୁ ସେତେବେଳେ ସଙ୍ଗେ ସଙ୍ଗେ କଟକ ମେଡିକାଲକୁ ନିଆଯାଇଥିଲା । ହେଲେ ସେତେବେଳକୁ ବାମହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ହାତଟିକୁ କାଟି ଦିଆଯାଇଥିଲା । ଅର୍ଜୁନ ବହୁବାର ବିଭିନ୍ନ କାର୍ଯ୍ୟାଳୟ ବୁଲି ନିଜ ପୁଅର କୁତ୍ରିମ ହାତ ଖଣ୍ଡିକ ବସେଇବାଲାଗି ନେହୁରା ହେଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେ ଅଭିଯୋଗ କରିଛନ୍ତି । ସେ ଜଣେ ନିହାତି ଗରିବ ଆଦିବାସୀ ଶ୍ରେଣୀର ହୋଇଥିଲେ ମଧ୍ୟ ପୁଅର ହାତ ଭଲ କରିବାକୁ ଯାଇ ପାଖରେ ଯାହା ଟଙ୍କା ଥିଲା ଚିକିତ୍ସା ବାବଦରେ ସବୁ ସରିଲା । ବର୍ତ୍ତମାନ ସେ ନିଜ ପରିବାରକୁ ବି ଚଳେଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି । ଅପରପକ୍ଷେ ପୁଅର ହାତକଟି ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଅ ସିଦ୍ଧାର୍ଥର ଭିନ୍ନକ୍ଷମ ପ୍ରମାଣପତ୍ର ହୋଇପାରିଲା ନାହିଁକି ମାସିକ ଭିନ୍ନକ୍ଷମ ଭତ୍ତା ମଧ୍ୟ ମିଳିଲାନାହିଁ । ସିଦ୍ଧାର୍ଥ ବର୍ତ୍ତମାନ ରାମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ସାଙ୍ଗ ସାଥି ଗହଣରେ ଖେଳକୁଦ କରୁଥିବା ସମୟରେ ପୁଅର ବାମହାତ ନଥିବାହେତୁ ପୁଅର ଏପରି ଅବସ୍ଥା ଦେଖି ବାପା ଭାଙ୍ଗି ପଡିଛନ୍ତି । ସେପଟେ ନିଜ ପୁଅକୁ କୁତ୍ରିମ ହାତ, ଭିନ୍ନକ୍ଷମ ପ୍ରମାଣପତ୍ର ଓ ମାସିକ ଭତ୍ତା ଯୋଗାଇଦେବାଲାଗି ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି । ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଏ ଦିଗରେ ଗୁରୁତ୍ୱ ଦେଇ ଅର୍ଜୁନ ବଡମୁଣ୍ଡିଙ୍କ ଗୁହାରି ଶୁଣିବା ଲାଗି ସାଧାରଣରେ ଦାବି ହେଉଛି ।


