ଲକ୍ଷ୍ମୀପୁରରେ ଦୁର୍ଗାପୂଜାର ମହାଆୟୋଜନ ସଭା

କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : ଶରତ ର ଆଗମନୀ ସ୍ପର୍ଶ ସହ ଧୀରେ ଧୀରେ ଉତ୍ସବମୁଖର ହେବାକୁ ଯାଉଛି ଲକ୍ଷ୍ମୀପୁର। ମା’ ଦୁର୍ଗାଙ୍କ ଆଗମନକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତିର ପର୍ବ। ପୂଜା ମଣ୍ଡପଠାରୁ ସାଂସ୍କୃତିକ ମଞ୍ଚ—ସବୁଠି ଦେଖାଦେବ ଉତ୍ସବର ରଙ୍ଗ। ଏହି ଅବସରରେ ଫ୍ରେଣ୍ଡସ ୟୁଥ୍ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଚଳିତ ବର୍ଷର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସୋସିଏସନ୍ ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକର ଆରମ୍ଭରେ କୋଷାଧ୍ୟକ୍ଷ ଭି. ଶ୍ରବଣ କୁମାର ପୂର୍ବବର୍ଷର ଦୁର୍ଗାପୂଜାର ଆୟ-ବ୍ୟୟର ସମ୍ପୂର୍ଣ୍ଣ ହିସାବ ଉପସ୍ଥାପନ କରିଥିଲେ। ପରେ ଚଳିତ ବର୍ଷର ପୂଜାକୁ ଅଧିକ ଶୃଙ୍ଖଳିତ, ଆକର୍ଷଣୀୟ ଓ ଜନସାଧାରଣଙ୍କ ପାଇଁ ସ୍ମରଣୀୟ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପୂର୍ବବର୍ଷର ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ସପ୍ତମୀ ତିଥିରୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ କରିବାକୁ ସ୍ଥିର ହୋଇଛି। ଏଥିସହ ରାବଣପୋଡ଼ି, ଦେଶିଆ ନାଟକ ଓ ମେଲୋଡି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଫଳରେ ଧାର୍ମିକ ଭାବାବେଗ ସହିତ ଲକ୍ଷ୍ମୀପୁରରେ ମନୋରଞ୍ଜନର ମାହୋଲ ମଧ୍ୟ ସୃଷ୍ଟି ହେବ। ବୈଠକରେ ସର୍ବସମ୍ମତିକ୍ରମେ ପୁରୁଣା କମିଟିକୁ ଚଳିତ ବର୍ଷର ପୂଜା ଦାୟିତ୍ୱ ଅର୍ପଣ କରାଯାଇଥିଲା। ପୂଜା କମିଟିର ସଭାପତି ଭାବେ ଉମାଶଙ୍କର କର୍କରା, ସମ୍ପାଦକ ଭାବେ ଓଜସ୍ୱୀ ସାହୁ, ଯୁଗ୍ମ ସମ୍ପାଦକ ଭାବେ ବଳିଆ ବିଶୋଇ, ଉପସଭାପତି ଭାବେ ତପନ ସାହୁ ଓ ମନୋଜ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଭି. ଶ୍ରବଣ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଅମରେଶ ଶତପଥୀ, ଅନନ୍ତ ସାହୁ, ସମୀର କୁମାର ନନ୍ଦ, ସଚୀନ୍ଦ୍ର ବିଶୋଇ, ଦୀପ୍ତିରଞ୍ଜନ ବାରିକ, କୋଟନି ସାଇ, ଶ୍ରୀକାନ୍ତ ଡାକୁଆ, ପ୍ରଦୀପ କୁମାର ବୋରାଡ଼, ଜଗା ସୁଣ୍ଡି, ବାପି ଜେନା, ବୁଲୁ ପ୍ରଧାନ ଓ କାଳିଆ ବିଶୋଇଙ୍କୁ ଚୟନ କରାଯାଇଛି। ପରମେଶ୍ୱର ସାହୁ ଓ ପ୍ରମୋଦ ଜେନାଙ୍କୁ କମିଟିର ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଭକ୍ତଙ୍କ ସୁବିଧା ଉପରେ ବିଶେଷ ଗୁରୁତ୍ୱ ଦେବା ସହ ସମସ୍ତ କାର୍ଯ୍ୟକ୍ରମ କିପରି ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେନେଇ ବୈଠକରେ ମାନସମନ୍ଥନ ହୋଇଥିଲା। ମା’ଙ୍କ ଆଗମନ ପୂର୍ବରୁ ଲକ୍ଷ୍ମୀପୁରରେ ଆରମ୍ଭ ହୋଇଥିବା ଏହି ପ୍ରସ୍ତୁତି ଏବେ ଧୀରେ ଧୀରେ ଉତ୍ସବର ରୂପ ନେଉଛି। ପୂଜା କମିଟିର ସଦସ୍ୟମାନଙ୍କ ଉତ୍ସାହ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚଳିତ ବର୍ଷର ଦୁର୍ଗାପୂଜା ଲକ୍ଷ୍ମୀପୁରବାସୀଙ୍କ ପାଇଁ ଏକ ସ୍ମରଣୀୟ ଅନୁଭବ ହେବ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ