ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମ୍ବିଧାନ ପ୍ରଣେତା, ବୋଧିସତ୍ତ୍ୱ, ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ଦିବସ ଭୁବନେଶ୍ୱର ଆମ୍ବେଦକର ଛକ (ଏ.ଜି.ଛକ)ଠାରେ ବହୁସଂଖ୍ୟକ ଜନତାଙ୍କ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ ଘଟିକାରେ ବୁଦ୍ଧ ମନ୍ଦିରଠାରୁ ନାଗରିକ ଏକତା ପରିଷଦ, ଭାରତୀୟ ବୌଦ୍ଧ ମହାସଭା, ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ସଂଗଠନ ସମୂହର ପରିଷଦ, ଏସ୍.ସି, ଏସ୍.ଟି କର୍ମଚାରୀ ସଂଗଠନ ତରଫରୁ ଆମ୍ବେଦକରଙ୍କ ଏକ ସୁସଜ୍ଜିତ ରଥ ସହ ଦୁଇଚକିଆ ଓ ଚାରିଚକିଆ ଯାନର ଏକ ର୍ୟାଲି ବାହାରି ଏ.ଜି. ଛକଠାରେ ପହଂଚି ଥିଲା । ସେଠାରେ ବିଭିନ୍ନ ଦଳର ରାଜନେତା, ଗୁଣୀ, ଜ୍ଞାନୀ ନାଗରିକ, ସରକାରୀ କର୍ମଚାରୀ, ସମାଜସେବୀ ଓ ସାଧାରଣ ନାଗରିକମାନଙ୍କର ଏକ ସମାଗମ କରାଯାଇ ବାବାସାହେବଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ‘ଜୟ ଭୀମ୍’, ‘ଜୟ ଭାରତ’ ଧ୍ୱନିରେ ପ୍ରତିମୂର୍ତ୍ତିସ୍ଥଳଟି ପ୍ରକମ୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାୟ, ବିଷ୍ଣୁ ସେଠୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ବିଧାୟକ ବାୟାଧର ମଲ୍ଲିକ ପ୍ରମୁଖ ବହୁ ରାଜନେତା, ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ନରେନ୍ଦ୍ର ସେଠୀ, ସୁନାକର ବେହେରା, ଲକ୍ଷ୍ମଣ ମଲ୍ଲିକ, ମାନଗୋବିନ୍ଦ ସେଠୀ, ଳକ୍ଷ୍ମୀଧର ବେହେରା, ବାନାମ୍ବର ସେଠୀ, ଅଭିମନ୍ୟୁ ସେଠୀ, ସୁଲୋଚନା ଦାସ ଓ ଯୁବନେତା ଅକ୍ଷୟ ମଲ୍ଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


