ବାଲେଶ୍ୱରରେ ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) : ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ସଦର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଜିଲାସ୍ତରୀୟ “ବିଶ୍ୱ ମୃତ୍ତିକା ଦିବସ” ପାଳିତ ହୋଇଯାଇଛି । ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ ଏଥିରେ ସଭାପତିତ୍ୱ କରିବା ସହିତ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉପ ମତ୍ସ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ଦଳାଇ ଏଥିରେ ବିଶେଷ ଅତିଥି ଭାବେ ଯୋଗ ଦେଇ ଜିଲାରେ ମତ୍ସ୍ୟ ଚାଷର ଅଗ୍ରଗତି, ବିଭିନ୍ନ ସରକାରୀ ଯୋଜନା ଓ ସମନ୍ୱିତ କୃଷି ମାଧ୍ୟମରେ ମୃତ୍ତିକା ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଆଲୋକପାତ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସଂଯୋଜକ ଡ. ସ୍ୱାଗତିକା ସାହୁ, ଜଳ ବିଭାଜିକା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମିରଞ୍ଜନ ପାତ୍ର, ମୃତ୍ତିକା ରସାୟନବିତ ପ୍ରଦୀପ କୁମାର ନାୟକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି କ୍ଷେତ୍ରରେ ମୃତ୍ତିକା ଉର୍ବରତା ପରିଚାଳନାର ବିଭିନ୍ନ ଦିଗ ସମମ୍ପର୍କରେ ଆଲୋଚନା କରିଥିଲେ । କୃଷି କ୍ଷେତ୍ରରେ ରାସାୟନିକ ସାର ଓ କୀଟ ନାଶକର ଅନିୟମିତ ବ୍ୟବହାର ଯୋଗୁଁ ମାଟି, ପାଣି ଓ ପବନ ପ୍ରଦୂଷଣ ହେବା ସାଙ୍ଗକୁ ମାଟିର ଉତ୍ପାଦିକତା ହ୍ରାସ ପାଇଚାଲିଥିବା ଅତିଥିମାନେ କହିଥିଲେ । ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସର ବାର୍ତ୍ତା“ ମତ୍ତିକାର ଲବଣାକ୍ତତା ବନ୍ଦ କରି ଉତ୍ପାଦିକତା ବୃଦ୍ଧି” ଉପରେ ଅତିଥିମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦର ଓ ରେମୁଣା ବ୍ଲକର ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ ପତ୍ରିକା ପ୍ରଦାନ କରାଯାଇଥିଲା । କୃଷି ଓ ଆନୁସଙ୍ଗିକ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଦର ଗୋଷ୍ଠୀ କୃଷି ଅଧିକାରୀ ତ୍ରିଲୋଚନ ରାଉତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


