ବାଲେଶ୍ୱରର ମେଧା ପ୍ରୋତ୍ସାହନ ଉତ୍ସବ

ବାଲେଶ୍ୱର,(ସରୋଜ ପଣ୍ଡା): ପବିତ୍ର ଗୁରୁଦିବସ ଅବସରରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘଦ୍ୱାରା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବାଲେଶ୍ୱର ସଭାଗୃହରେ ଆଜି ପୂର୍ବାହ୍ନରେ ମେଧା ପ୍ରୋତ୍ସାହନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିନିମିତ୍ତ ଆୟୋଜିତ ସଭାରେ ସଂଘ ସଭାପତି ଇଂ. ବନମାଳୀ ନାୟକ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବାଲେଶ୍ୱରର ଅଧ୍ୟକ୍ଷା ଡ. ସୁରଞ୍ଜିତା ମୁନି ମୁଖ୍ୟଅତିଥି ଓ ଜିଲ୍ଲା ଶିକ୍ଷକ ତାଲିମ ପ୍ରତିଷ୍ଠାନ, ରେମୁଣାର ପୂର୍ବତନ ଅଧ୍ୟକ୍ଷା କଳ୍ପନା ମଞ୍ଜରୀ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଦାମୋଦର ନାୟକ ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିଥିଲେ। ଉପସଭାପତି ସୁଦର୍ଶନ ଦାସ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହିତ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାପତି, ସାଧାରଣ ସମ୍ପାଦକ ଓ ଅତିଥିମାନେ ମିଳିତ ଭାବେ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପପ୍ରଦାନ ପୂର୍ବକ ଉତ୍ସବର ଉଦ୍‌ଘାଟନ କରିଥିଲେ। ପଣ୍ଡିତ ସଞ୍ଜୟ ପଣ୍ଡା ମଙ୍ଗଳାଷ୍ଟକ ପାଠ କରିଥିଲେ। ଦେଶର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ମହାନ୍ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଅତିଥିମାନେ ସମ୍ମାନ ଜଣାଇଥିଲେ। ସଦସ୍ୟା କଲ୍ୟାଣୀ ନନ୍ଦ ଓ ସହଯୋଗୀମାନେ ଗୁରୁବନ୍ଦନା ଗାନ କରିଥିଲେ। ସଭାପତି ଶ୍ରୀ ନାୟକ ସ୍ୱାଗତ ସମ୍ଭାଷଣ କରିବା ପରେ ସାଧାରଣ ସମ୍ପାଦକ ତାଙ୍କ ବକ୍ତବ୍ୟରେ ସମ୍ମାନିତ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ନିଜର ଲକ୍ଷ୍ୟ ସ୍ଥିର ରଖି ଅଧ୍ୟୟନରତ ରହିବାକୁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀମତୀ କଳ୍ପନା ମଞ୍ଜରୀ ପଟ୍ଟନାୟକ ବୃତ୍ତିଗତ ଶିକ୍ଷା ସହିତ ସାହିତ୍ୟ, ନୃତ୍ୟ, ସଙ୍ଗୀତ ଆଦି କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଡ. ସୁରଞ୍ଜିତା ମୁନି ଗୁରୁଦିବସର ତାତ୍ପର୍ଯ୍ୟ ଓ ମହତ୍ତ୍ୱ ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହିତ ଶିକ୍ଷା ଲାଭ ସହିତ ଛାତ୍ରଛାତ୍ରୀମାନେ ପରିବେଶ ସଚେତନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ସହିତ ସର୍ବୋପରି ଜଣେଜଣେ ଭଲ ମଣିଷ ହେବାପାଇଁ କହିଥିଲେ। ମୁଖ୍ୟଅତିଥି ଓ ମୁଖ୍ୟବକ୍ତାଙ୍କ ଦ୍ୱାରା ବର୍ଷୀୟାନ୍ ଶିକ୍ଷକ ବିପଦ ଭଞ୍ଜନ ମିଶ୍ର ଓ ଅଜୟ କୁମାର ନାୟକଙ୍କୁ ‘ଗୁରୁ ଗୌରବ’ ସମ୍ମାନରେ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ। ଜିଲ୍ଲାରେ ୨୦୨୬ ମସିହାରେ ଶ୍ରେଷ୍ଠ ସ୍ଥାନ ଅଧିକାରୀ ମାଧ୍ୟମିକ ପରୀକ୍ଷାରେ ୨୯ଜଣ +୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ୬ ଜଣ, +୩ କଳା, ବାଣିଜ୍ୟ, ରସାୟନ ବିଜ୍ଞାନ ସମ୍ମାନ, ଓଡ଼ିଆ ସମ୍ମାନ, ଶିକ୍ଷା ସମ୍ମାନ ଓ ସଂସ୍କୃତ ସମ୍ମାନ ପରୀକ୍ଷାରେ ୭ଜଣ, ସ୍ନାତକୋତ୍ତର ପଦାର୍ଥବିଜ୍ଞାନ ଓ ଗଣିତ ବିଭାଗରେ ଦୁଇଜଣ ମୋଟ ୪୪ଜଣଙ୍କୁ ପ୍ରଶସ୍ତିପତ୍ର ଓ ପ୍ରୋତ୍ସାହନ ରାଶିଦେଇ ସମ୍ବର୍ଦ୍ଧିତ କରିôତଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଞ୍ଜୟ ପଣ୍ଡା, ଭାଗବତ ଦଳାଇ, ରବୀନ୍ଦ୍ର ମହାନ୍ତି, ଗୀତାଞ୍ଜଳି ଶତପଥି, ଜ୍ୟୋତ୍ସ୍ନା ରାୟ, ରୀତା ରାୟ, ପ୍ରଣିତା ମିଶ୍ର, ଦୀପ୍ତିଲତା ଦାସ, ପ୍ରଭାତୀ ସେଠୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଯୁଧିଷ୍ଠିର ନନ୍ଦ, ଗୋବିନ୍ଦ ମାଝୀ, ଗିରିଜା ଆଚାର୍ଯ୍ୟ, ହେମନ୍ତ ଜେନା, ଭବେଶ ପଣ୍ଡା, ସତ୍ୟ ନାରାୟଣ ନାୟକ, ଅନୁପ ଆଚାର୍ଯ୍ୟ, ଦୟାନିଧି ମହାପାତ୍ର, ରବି ନାରାୟଣ ବେହେରା, ଶଚୀନ୍ଦ୍ର ମାଝୀ, ଭାଗୀରଥି ମହାନ୍ତି, ଜ୍ଞାନେନ୍ଦ୍ର ସାହୁ, ସାବିତ୍ରୀ ଦାସ, ସୁରେନ୍ଦ୍ର ନାୟକ, ନିଆସୀ ଜେନା, ହରିହର ଦାସ, ଦିଲ୍ଲୀପ ଚକ୍ରବର୍ତ୍ତୀ, ଡ. ତାରାକାନ୍ତ ନନ୍ଦ, ନରେନ୍ଦ୍ର ପୁହାଣ, ଡ. ଲକ୍ଷ୍ମଣ ବିଶ୍ୱାଳ ଅଂଶଗ୍ରହଣ କରିଥିବାବେଳେ ଗୌରାଙ୍ଗ ସାହୁ, ବସନ୍ତ ନାୟକ, ଗୌରପ୍ରିୟ ମିଶ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଉପସଭାପତି ଦେବେନ୍ଦ୍ର ଚୌଧୁରୀ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ