ଚାଷୀଙ୍କ ସମସ୍ୟା ନ ବୁଝି କେବଳ କଣମଣା ବାତ୍ୟା ଆଶ୍ରୟସ୍ଥଳି ବୁଲି ଚାଲିଗଲେ କେନ୍ଦ୍ରୀୟ ପ୍ରତିନିଧି ଟିମ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାରେ ବାତ୍ୟା ଜୱାଦ ଯୋଗୁଁ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ସହ ବିଭିନ୍ନ ଅଂଚଳ ବୁଲି ଦେଖିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ । ରବିବାର ରାତିରେ ଏହି କେନ୍ଦ୍ରୀୟ ଦଳ ଗଞ୍ଜାମ ଜିଲ୍ଲାରେ ପହଂଚିଛନ୍ତି । ଏହି ଦୁଇ ଜଣିଆ କେନ୍ଦ୍ରୀୟ ଦଳରେ ଯୁଗ୍ମ ସଚିବ ସୌରଭ ରାୟ ଓ ପୂଜା ଜୈନ ରହିଛନ୍ତି । ଏହି ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ସୋମବାର ସକାଳୁ ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ବୁଲି ଦେଖିଥିଲେ । ପରେ ଏହି ପ୍ରତିନିଧି ଦଳ ଛତ୍ରପୁର ବ୍ଲକର କଣମଣା ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ବୁଲି ଦେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଏହି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ରଖାଯାଉଛି ସେ ସମ୍ପର୍କରେ ସ୍ଥାନୀ ୟସରପଂଚ ଏସ୍. ଚକ୍ରପାଣି ରେଡ୍ଡି ଓ ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଦୁର୍ଯ୍ୟୋଧନ ବେହେରା ଏବଂ ଅନ୍ୟ ସମସ୍ତ ସଦସ୍ୟ/ ସଦସ୍ୟା ମାନଙ୍କୁ ପଚାରି ବୁଝିଥିଲେ । ପରେ ଆଶ୍ରୟସ୍ଥଳୀରେ ଆବଶ୍ୟକ ସମସ୍ତ ସାମଗ୍ରୀ ମହଜୁଦ ଅଛି କି ନାହିଁ ତାହାର ମଧ୍ୟ ଅନୁଧ୍ୟାନ କରିଥିଲେ ଏହି ଟିମ୍ । ଏହି ଟିମ୍ ଙ୍କ ପରିଦର୍ଶନ ବେଳେ ରାଜ୍ୟ କୃଷି ବିଭାଗର ନିର୍ଦ୍ଦେଶକ ଡଃ ଏମ୍. ମୃଥୁ କୁମାର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ତହସିଲଦାର ପ୍ରକାଶ କୁମାର ମିଶ୍ର, ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗଙ୍କ ସମେତ ଅନ୍ୟାନ୍ୟ ବହୁ ଅଧିକାରୀ ଓ କଣମଣା ପଂଚାୟତର ଚନ୍ଦନ ବେହେରା, ଏମ୍. କ୍ରିଷ୍ଣା ରେଡ୍ଡି, ଶିବରାମ ପ୍ରଧାନ, ସୁବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏପଟେ ଛତ୍ରପୁର ବ୍ଲକର ଚାଷୀ ମାନେ ସେମାନଙ୍କ ସମସ୍ୟା ଜଣାଇବାକୁ ଜଗିରହିଥିବା ବେଳେ କେନ୍ଦ୍ରୀୟ ଟିମ କେବଳ କଣମଣା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଚାଲିଯାଇଥିବାରୁ ସମସ୍ତ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।