ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର୍‌ । ଦିନ ଦ୍ୱିପହରରେ ପୋଲିସକୁ ଚକମା ଦେଇ ଫେରାର୍‌ ହେଲେ ବିଚାରଧୀନ କଏଦୀ । ପ୍ରଥମେ କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବାପରେ ଶେଷରେ ବାଲିଗୁଡ଼ା ଥାନାରେ ଏନେଇ କାରାଗାର ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଫେରାର ଅଭିଯୁକ୍ତ ଜଣକ ବ୍ରାହ୍ମଣୀଗାଁ ଅଂଚଳର ଟୁକୁନା ମଳିକ (୩୮) ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେବ ସଜା କାଟୁଥିଲେ ।ବିଚାରାଧିନ କଏଦୀ କାରାଗାରରୁ ଫେରାର ହେବା ପରେ ଏବେ ଉପଖଣ୍ଡ କାରାଗାରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କଏଦୀ ଜଣକ କାରାଗାର ଗେଟ୍‌ ରେ ରହିବା,ଜେଲ ସୁପରଟେଣ୍ଡଙ୍କ ବ୍ୟକ୍ତିଗତ କାର୍ଯ୍ୟ କରିବା ସହ ଅନ୍ୟ କର୍ମଚାରୀ ମାନଙ୍କ କର୍ଯ୍ୟ ମଧ୍ୟ କରିଆସୁଥିଲା । ସୋମବାର ଦିନ କିଛି କଏଦୀଙ୍କ ଜାମିନ୍‌ ହୋଇଥିବା ବେଳେ ସେମାନଙ୍କୁ ଗେଟ୍‌ ରେ ଛାଡ଼ିବା ସମୟରେ ଟୁକୁନା ମଳିକ ସେମାନଙ୍କ ସହ ମିଶି ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଜେଲ୍‌ ସୁରକ୍ଷା ନେଇ ଓ କଏଦୀକୁ ଗେଟ୍‌ ରେ ଆଣି କାମ କରାଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ବ୍ରହ୍ମପୁର ଜେଲ୍‌ ଡିଆଇଜି ଆସି ଏ ସମ୍ପର୍କରେ ତଦନ୍ତ କରି ଯାଇଥିଲେ । ଏ ସଂପର୍କରେ ଜେଲ ସୁପରିଟେଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି ସେମାନେ ଆସି କାମ କରୁଥିଲେ । ତାଙ୍କ କାର୍ଯ୍ୟକଳାପରେ ପରିବର୍ତ୍ତନ ଦେଖି ଗେଟ୍‌ କୁ ଅଣାଯାଇ ଥିଲା । କିନ୍ତୁ ଜଣେ ବିଚାରାଧୀନ କଏଦୀକୁ ଗେଟ କୁ ଆଣିବା ଓ ସ୍ୱାଧିନ ଦେବା କେତେଦୂର ଯୁକ୍ତିଯୁକ୍ତ ତାହାର ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ