ରାଜ୍ୟରେ ଲେବର ପ୍ରୋଗ୍ରେସିଭ ଫେଡ଼େରେସନ ସହ ୨୦ଟି ଶ୍ରମିକ ସଂଗଠନ ସହବନ୍ଧିତ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶର ଏକ ପ୍ରମୁଖ ଓ ଅଗ୍ରଣୀ କେନ୍ଦ୍ରୀୟ ସଂଗଠନ ଲେବର ପ୍ରୋଗ୍ରେସିଭ ଫେଡ଼େରେସନ (ଏଲ୍‌.ପି.ଏଫ୍‌) ଓଡ଼ିଶାରେ ବିଧିବଦ୍ଧ ଭାବେ ବୁଧବାର ସ୍ଥାନୀୟ ବିଦ୍ୟୁତ୍ ୟୁଥ୍ କ୍ଲବଠାରେ ଏହାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଦେଶର ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ ତଥା ବ୍ୟାଙ୍କ, ରେଲୱେ, ପ୍ରତିରକ୍ଷା, ଟେଲିକମ୍‌, ଲୌହ, ଇସ୍ପାତ, ଆଲୁମିନିୟମ, ଖଣି, ଖଦାନ, ବିଦ୍ୟୁତ୍‌, ଶିଳ୍ପ ଆଦି କ୍ଷେତ୍ରରେ କାର୍ଯ୍ୟରତ ଅସଂଖ୍ୟ ଶ୍ରମିକ ସମୂହଙ୍କ ସୁରକ୍ଷା ତଥା ଅଧିକାର ପାଇଁ ଆଜିକୁ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସଂଗ୍ରାମ କରି ଆସୁଥିବା ଉକ୍ତ ସଂଗଠନ ୨୦୦୮ ମସିହାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାବେ ଭାରତ ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ମାନ୍ୟତା ପାଇବା ପରଠାରୁ ଏହାର କାର୍ଯ୍ୟକ୍ରମ ୧୯ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଜାରି ରଖିଥିବା ସ୍ଥଳେ ଓଡ଼ିଶା ଭଳି ଏକ ଶ୍ରମିକ ଓ କୃଷକ ବହୁଳ ରାଜ୍ୟରେ ଏହାର ଉପସ୍ଥିତି ଶ୍ରମିକ ଓ କୃଷକ ଆନ୍ଦୋଳନକୁ ଏକ ନୂତନ ଦିଶା ଦେବାରେ ଆଶା ସଞ୍ଚାର କରିଛି । ଶ୍ରମିକ ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଘଡ଼ିସନ୍ଧି ସମୟରେ ଆନ୍ଦୋଳନକୁ ସଠି୍‌କ ଦିଶା ଦେବା ପାଇଁ ଆଜିକୁ ୫୨ବର୍ଷ ତଳେ ୧୯୬୯ ମସିହାରେ ବିଶିଷ୍ଟ ରାଜନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଏମ୍‌. କରୁଣାନିଧି ଏହାର ପ୍ରତିଷ୍ଠା କରିଥିଲେ । ସମୟକ୍ରମେ ସଂଗଠନର ସଠିକ୍ ପରିଚାଳନା ତଥା ଦିଗ୍‌ଦର୍ଶନ ଦେଇ ଏହାକୁ କେନ୍ଦ୍ରୀୟ ମାନ୍ୟତା ତଥା ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇ.ଏଲ୍‌.ଓ) ମାନ୍ୟତା ହାସଲ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ଶ୍ରମିକ ନେତା ଏମ୍‌. ସାନ୍‌ମୁଗମ ଏହାର ଜାତୀୟ ମହାସଚିବ ଭାବେ ଅବସ୍ଥାପିତ ହୋଇଥିବା ସ୍ଥଳେ ବର୍ତ୍ତମାନ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ ଏହାର ଜାତୀୟ ଆବାହକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ପରି ଏକ ଶ୍ରମିକ ଓ କୃଷକ ବହୁଳ ରାଜ୍ୟରେ ଏହାର କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଓଡ଼ିଶା ରାଜ୍ୟର ପ୍ରଥମ ସଭାପତି ତଥା ଜାତୀୟ ଉପସଭାପତି ଭାବେ ବିଶିଷ୍ଟ ଶ୍ରମିକ ନେତା ବିରେନ୍ଦ୍ର ପ୍ରସାଦ ଦାସ, ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା କେନ୍ଦ୍ରୀୟ ପ୍ରଶାସନିକ କମିଟି ସଦସ୍ୟ ଭାବେ ଶ୍ରମିକ ନେତା ତଥା ସମବାୟବିତ୍ ମଧୁସୂଦନ ପ୍ରଧାନ ଓ ରାଜ୍ୟ ସାଧାରଣ ସମ୍ପାଦକ ତଥା କେନ୍ଦ୍ରୀୟ ପ୍ରଶାସନିକ ସଦସ୍ୟ ଭାବେ ଅଗ୍ରଣୀ ଯୁବ ଶ୍ରମିକ ନେତା ମନୋରଞ୍ଜନ ମହାରଣାଙ୍କୁ ମନୋନୀତ କରାଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ଦେଶ ତଥା ରାଜ୍ୟରେ ଶ୍ରମିକ ଆନ୍ଦୋଳନ ଏକ ସଙ୍କଟଜନକ ଅବସ୍ଥା ଦେଇ ଗତି କରୁଥିବା ସମୟରେ ଏଲ୍‌.ପି.ଏଫ୍ ଭଳି ଏକ ପ୍ରମୁଖ ଲଢୁଆ ଅଗ୍ରଣୀ କେନ୍ଦ୍ରୀୟ ଶ୍ରମିକ ସଂଗଠନର ରାଜ୍ୟରେ ଉପସ୍ଥିତି ଏକ ନୂତନ ଦିଗ୍‌ଦର୍ଶନ ଦେବାର ଆଶା ସଞ୍ଚାର କରିଛି । ଦେଶରେ ବିଭିନ୍ନ ବର୍ଗର ଶ୍ରମିକ ଓ କୃଷକ ସମାଜ ପାଇଁ ନିରନ୍ତର ଭାବେ ଲଢି ଆସୁଥିବା ଏବଂ କେନ୍ଦ୍ରୀୟ ଶ୍ରମ ସଂଗଠନ ସମନ୍ୱୟ କମିଟିର ଏକ ପ୍ରମୁଖ ସଦସ୍ୟ ଭାବେ ଗଠନମୂଳକ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିବା ଏହି ସଂଗଠନ ରାଜ୍ୟରେ ମଧ୍ୟ ଏହାର ଦାୟିତ୍ୱ ଓ ଭୂମିକା ଅନ୍ୟ ସମସ୍ତ କେନ୍ଦ୍ରୀୟ ଓ ଆଞ୍ଚଳିକ ଶ୍ରମ ସଂଗଠନମାନଙ୍କ ସହଯୋଗରେ ଆଗାମୀ ଦିନରେ ଜାରି ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ୨୦ଟି ଶ୍ରମିକ ସଂଗଠନ ସହବନ୍ଧିତ ହୋଇଛନ୍ତି । ଏହି ଶ୍ରମିକମାନଙ୍କ ସଂଖ୍ୟା ୨ଲକ୍ଷରୁ ଉର୍ଦ୍ଧ୍ୱ ହେବ । ଓଡ଼ିଶାରେ ତାର ଉପସ୍ଥିତି ଜାହିର କରିବ । ରାଜ୍ୟ ତଥା ଦେଶର ହିତ ଉଦ୍ଦେଶ୍ୟରେ ଏଲ୍‌ପିଏଫ୍ କାର୍ଯ୍ୟ କରିବ ବୋଲି ଶ୍ରୀ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ