ପାରଳାରେ ସ୍ୱଚ୍ଛତା ପକ୍ଷ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସେଣ୍ଟର ଫର ଏନଭର୍ଣ୍ଣମେଣ୍ଟାଲ ଷ୍ଟଡିସ୍ (ସିଇଏସ୍) ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶା ସରକାରଙ୍କ ଆନୁକୁଲ୍ୟରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଡିସେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପ୍ରଥମ, ଦ୍ୱିତିୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୧୫୦୦, ୧୦୦୦ ଓ ୭୦୦ ଟଙ୍କା ଲେଖାଏଁ ଉଭୟ କୃତି ପ୍ରତିଯୋଗିମାନଙ୍କୁ ଅନଲାଇନ୍ ମାଧ୍ୟମରେ ଅର୍ଥ ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି ଏବଂ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଆଜି ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦେଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପରିବେଶର ପରିଚ୍ଛନ୍ନତା, ବୃକ୍ଷରୋପଣ, ଜଳ ସମ୍ପଦର ସୁରକ୍ଷା ଏବଂ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ବ୍ୟବହାରକୁ ରୋକିବା ପାଇଁ ଏକ ସଚେତନତା ରାଲି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ସହରର ବିଭିନ୍ନ ଅଞ୍ଚଳକୁ ପରିଭ୍ରମଣ କରି କେତେକ ସ୍ଥାନରେ ସଫେଇ କାର୍ଯ୍ୟ କରି ନିର୍ମଳ ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି । ଉକ୍ତ ରାଲିକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ ମହାରାଜାଙ୍କ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ବୃଷକେତୁ ଦାସ ଉଦ୍ଘାଟନ କରିଥିଲେ । ଏହି ରାଲିରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗାନ୍ଧୀ ମେମୋରିଆଲ ଓ ମହେନ୍ଦ୍ରଗିରି ହାଇସ୍କୁର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରିଡା ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ସଞ୍ଜୟ କୁମାର ପାତ୍ର, ଧିରେନ୍ଦ୍ର ସାମଲ, ଲିଙ୍ଗରାଜ ସାହୁ ପ୍ରଧାନ ଶିକ୍ଷକ ଏସ୍. ତିରୁପତି ରାଓ, ମୁରଲି ପରିଚ୍ଛା ପ୍ରମୁଖ ଅଂଶ ଗ୍ରହଣ କରି ଆମ ପରିବେଶ ଆମ ଦାୟିତ୍ୱ ଓ ସ୍ୱଚ୍ଛ ଓଡିିଶା ଓ ନିର୍ମଳ ଭାରତ ଗଠନ ନିମନ୍ତେ ସତ୍ୟପାଠ କରିଥିଲେ ।


