ପାଣି ପାଇଁ ଜିଲ୍ଲାପାଳଙ୍କୁ ଅଁଳାପାଳବାସୀଙ୍କ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା) :ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଯୋଗୁୁଁ ୭ ଦିନ ଧରି ଅଚଳ ପଡ଼ିଛି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ । ପିଇବା ପାଣି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ କିଛି ଫଳ ନ ମିଳିବାରୁ ଶେଷରେ ନୀଳଗିରି ଅଁଳାପାଳବାସୀ ବୁଧବାର ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘଦିନର ଦାବି ପରେ ନୀଳଗିରି ବ୍ଲକ ବହରମପୁର ପଞ୍ଚାୟତ ଅଁଳାପାଳ ଗ୍ରାମରେ ସରକାରୀ ଅନୁଦାନରେ ଏକ ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରାମ କମିଟିକୁ ଦିଆଯାଇଥିଲା । ଗ୍ରାମ କମିଟ ଏହାର ଯତ୍ନ ନେବା ସହ ସମୟାନୁସାରେ ଗ୍ରାମବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଇ ଆସୁଥିଲେ । ତେବେ ପାଣିପମ୍ପକୁ ସଂଯୋଗ ହୋଇଥିବା ବିଦ୍ୟୁତ ଦେୟ ପ୍ରଦାନ ନେଇ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା କରାଯାଇନଥିବା ଗ୍ରାମବାସୀମାନେ କହିଛନ୍ତି । କେନ୍ଦ୍ର ଅର୍ଥ ଆୟୁକ୍ତ ଓ ରାଜ୍ୟ ଅର୍ଥ ଆୟୁକ୍ତ ପ୍ରଦତ୍ତ ଅର୍ଥରେ ବିଦ୍ୟୁତ ଦେୟ ପ୍ରଦାନ ଓ ମରାମତି କାର୍ଯ୍ୟ ବାବଦରେ ଖର୍ଚ୍ଚ କରାଯିବାର ସରକାରୀ ନିୟମ ରହିଛି । ବିଦ୍ୟୁତ ଦେୟ ବାବଦ ଅର୍ଥ ପ୍ରଦାନ ପାଇଁ ନୀଳଗିରି ବ୍ଲକ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଓ ବରହମପୁର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗ୍ରାମବାସୀ ବାରମ୍ବାର ଜଣାଇଥିଲେ । ମାତ୍ର ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଫଳରେ ବିଦ୍ୟୁତ ବିଭାଗ ପକ୍ଷରୁ ପାଣିପମ୍ପକୁ ସଂଯୋଗ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିବା ଗ୍ରାମବାସୀମାନେ କହିଛନ୍ତି । ଏହା ଦ୍ୱାରା ୭ଦିନ ଧରି ଲୋକେ ପିଇବା ପାଣି ନ ପାଇ ଦୂର ଗାଁ’ର ନଳକୂପରୁ ପାଣି ନେଇ ଆସୁଥିବା ସେମାନେ ସୂଚନା ଦେଇଛନ୍ତି । ତେବେ ଗ୍ରାମବାସୀଙ୍କ ଗୁହାରୀ କେହି ନ ଶୁଣିବାରୁ ଶେଷରେ ସେମାନେ ଗ୍ରାମ କମିଟ କିଛି ଟଙ୍କା ବିଦ୍ୟୁତ ଦେୟ ବାବଦକୁ ଦେଇଥିଲେ । ଏହା ସତ୍ତ୍ୱେ ବିଦ୍ୟୁତ ସଂଯୋଗ ନହେବାରୁ ଶେଷରେ ସେମାନେ ଜିଲ୍ଲାପାଳଙ୍କୁ ଆପତ୍ତି ଜଣାଇଥିଲେ । ତୁରନ୍ତ ଏ ସମ୍ପର୍କରେ ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ରୁଦ୍ରକାନ୍ତ ସ୍ୱାଇଁ , ମୁରଲୀଧର ସାହୁ, ସନ୍ତୋଷ କୁମାର ପଣ୍ଡା, ବସନ୍ତ ବେହେରା, ସନ୍ତୋଷ କୁମାର ସାହୁ, ରବୀନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ନୟନା ପଢ଼ିଆରୀ, ବିଳାସିନୀ ସାହୁ, ସରସ୍ୱତୀ ସାହୁ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।