ଜିଲ୍ଲା ପ୍ରଶାସନର ଦ୍ୱିପାକ୍ଷିକ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :ଟାଟା ଷ୍ଟିଲ ସେଜ ଅଂଚଳକୁ କରିଡର ରାସ୍ତା ନିର୍ମାଣ ପାଇଁ ଭୁମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଗତ ୨୩ ତାରିଖ ଦିନ କାଳିପଲ୍ଲୀ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥଲା । ଏହାକୁ ଅଂଚଳବାସୀ ଜୋରଦାର ବିରୋଧ କରିବା ସହ ଅଂଚଳବାସୀଙ୍କ ବିଭିନ୍ନ ଦାବୀ ଗୁଡିକ ଉପରେ ଟାଟା କର୍ତ୍ତୁପକ୍ଷ ପ୍ରଥମେ କାର୍ଯ୍ୟକାରୀ କରନ୍ତୁ ପରେ ବିଚାର କରାଯିବ ବୋଲି ମଧ୍ୟ ଅଂଚଳବାସୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା । ଏନେଇ ଗୁରୁବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ କାଳୀପଲ୍ଲି ଓ ବାସନାପୁଟି ମିଳିତ ଗ୍ରାମ୍ୟ କମିଟି ଏବଂ ପ୍ରଶାସନ ପକ୍ଷରୁ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟାଟା ଷ୍ଟିଲ ସେଜ ଅଂଚଳକୁ କରିଡର ରାସ୍ତା ନିର୍ମାଣ ପାଇଁ ଅନୁମତି ଓ ଦୀପକ ଫଟ୍‌ଲାଇଜର ର କାର୍ଯ୍ୟ ନିମନ୍ତେ ଉଭୟ ଗ୍ରାମବାସୀ ସହଯୋଗ କରିବା ନିମନ୍ତେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । କାଳିପଲ୍ଲୀ ଓ ବାସନାପୁଟି ଗ୍ରାମ୍ୟ କମିଟି ପକ୍ଷରୁ କୁହାଯାଇଛି ଯେ, କାଳିପଲ୍ଲୀ, ବାସନାପୁଟି, ପାଇକପଡା, ଲକ୍ଷ୍ମୀପୁର ମୌଜାର ଟାଟା କମ୍ପାନୀ ର ପାଚେରୀ ବାହାରେ ଥିବା ଜମି ଡି- ନୋଟିଫିକେସନ୍ କରି ମୂଳ ପଟ୍ଟାଧାରଙ୍କୁ ହସ୍ତାନ୍ତର କରାଯାଉ, ଜମି ହରାଇଥିବା ପ୍ରଭାବିତ ପରିବାରର ଯୋଗ୍ୟତା ଅନୁସାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ, ପ୍ରଭାବିତ ଗ୍ରାମର ଏନ.ଏ.ପି ପରିବାରଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ, ଅଂଚଳର ଇଚ୍ଛୁକ ଭେଣ୍ଡର ମାନଙ୍କୁ ଠିକା କାର୍ଯ୍ୟ ପ୍ରଦାନ କରିବା, ଗରୀବ ଶ୍ରେଣି ଦିନ ମଜୁରିଆ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉ, ପରିବେଶ ପ୍ରଦୂଷଣ ମୁକ୍ତ କାରାଖାନା କରିବା ପାଇଁ ଧ୍ୟାନ ଦିଆଯାଉ, ଜମିରେ ଅତିରିକ୍ତ ପ୍ୟାକେଜ ପାଇନଥିବା ଶୀଘ୍ର ତଦନ୍ତ କରି କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ, ପ୍ରଭାବିତ ଅଂଚଳର ଜନସାଧାରଣ ମାନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଏକ ମେଡିକାଲ କରାଯାଉ, ଶିକ୍ଷିତ ଯୁବକ ଯୁବତୀଙ୍କୁ ବୈଷୟିକ ତାଲିମ ପ୍ରଦାନ କରି ସେମାନଙ୍କୁ ନିଯୁକ୍ତି ଦିଆଯାଉ, ଜମି ହରାଇଥିବା ପରିବାରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ, ପୂର୍ବ ପୁରୁଷାନୁକ୍ରମେ ସରକାରୀ ଜମି ଦଖଲ ରଖି ଚାଷ କରି ଚଳୁଥିବା ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ, ବାସନାପୁଟି ଓ କାଳିପଲ୍ଲୀ ମୌଜାର ଇଡକୋ ନାମରେ ନାମିତ ଥିବା କିଛି ଜମିର କୌଣସି କ୍ଷତିପୂରଣ ନ ପାଇଥିବା ଚାଷୀଙ୍କୁ ତୁରନ୍ତ ସ୍ୱତନ୍ତ୍ର କ୍ଷତି ପୂରଣ ପ୍ରଦାନ କରାଯାଉ ଭଳି ବିଭିନ୍ନ ଦାବୀ ଗୁଡିକ ତୁରନ୍ତ ସମାଧାନ କରାଗଲେ ଏ ସମସ୍ତ ବିଷୟ ଉପରେ ଆଲୋଚନା କରାଯିବ ବୋଲି ଉଭୟ ଗ୍ରାମବାସୀ ମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ତ୍ରିପାକ୍ଷିକ ବୈଠକରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ରାଜ କିଶୋର ଜେନା, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ବାସନାପୁଟି ଓ କାଳିପଲ୍ଲୀ ଗ୍ରାମ୍ୟ ମିଳିତ କମିଟିର ଉପଦେଷ୍ଟା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ସି.ଏଚ. କ୍ରିଷ୍ଣା ରେଡ୍ଡି, ସଭାପତି ବି. ଚନ୍ଦ୍ରମଣି ପାତ୍ର, ସି.ଏଚ୍‌. ରଘୁନାଥ ରେଡ୍ଡି, ବାଲରାଜୁ, ବିଜୟ କୁମାର ସାହୁ, ଏ. ଧର୍ମରାଜୁ ରାଓ, ପି. ରଘୁନାଥ ରେଡ୍ଡି, ପି. ଚନ୍ଦ୍ରୟା ରେଡ୍ଡି, ଜେ.ମାଧବ ପାତ୍ର, ମୁରଲି ସାହୁଙ୍କ ସମେତ କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ