ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ ଦାବିରେ ଚାନ୍ଦମାରୀ ପଡ଼ିଆବାସୀଙ୍କ ରାସ୍ତାରୋକ ୮ରେ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ପୌରାଞ୍ଚଳର ସହଦେବଖୁଣ୍ଟାସ୍ଥିତ ଚାନ୍ଦମାରି ପଡ଼ିଆକୁ ସଂଯୋଗ କରୁଥିବା ନିର୍ମାଣାଧୀନ ରାସ୍ତା ଓ ଡ୍ରେନ୍ କାର୍ଯ୍ୟ ତ୍ୱରାନ୍ୱିତ ଦାବିରେ ଆସନ୍ତା ୮ ତାରିଖ ଶନିବାର ଉତ୍କଳ ବାଳାଶ୍ରମଠାରେ ରାସ୍ତାରୋକ ପାଇଁ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି । ଏନେଇ ସେମାନେ ଉପ-ଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବୁଧବାରନ ଲିଖିତ ଭାବେ ଜଣାଇଛନ୍ତି । ପ୍ରାୟ ଅଢ଼େଇକୋଟି ଟଙ୍କା ବ୍ୟୟ ଅଟକଳ ଭିତ୍ତିକ ରାସ୍ତା ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଅତ୍ୟନ୍ତ ମନ୍ଥରଗତିରେ ଚାଲଥିବା ସେମାନେ କହିଛନ୍ତି । ରାସ୍ତାର ଦୁରାବସ୍ଥା ଓ ଧୂଳି ଉଡ଼ିବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ପ୍ରଦୂଷିତ ହେଉଥିବା ବେଳେ ସାଧାରଣ ଲୋକେ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ପାଶ୍ୱର୍ରେ ସହଦେବଖୁଣ୍ଟା ସହରାଞ୍ଚଳ ହସପିଟାଲ, ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟ ସମେତ ବହୁ ଶିକ୍ଷାନୁଷ୍ଠାନ ରହିଛି । ଅନ୍ୟପକ୍ଷରେ ରାସ୍ତାର ପ୍ରବେଶ ପଥ ପାଶ୍ୱର୍ରେ ଥିବା ବେଆଇନ ଅବରୋଧ ଉଚ୍ଛେଦର କାଳକ୍ଷେପଣ ନୀତି ଯୋଗୁଁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନାହିଁ । ଏଥି ସହିତ ବିଦ୍ୟୁତ ଖୁଣ୍ଟଗୁଡ଼ିକ ସ୍ଥାନାନ୍ତର ନ ହେବାରୁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି । ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସମସ୍ୟାର ପ୍ରତିକାର ହୋଇପାରୁନାହିଁ । ତେଣୁ ଠିକାଦାର ନିର୍ମାଣ କାର୍ଯ୍ୟ ମନ୍ଥର କରୁଥିବାର ଅଭିଯୋଗ ହୋଇଛି । ଦୁରନ୍ତ ଏ ବାବଦରେ ଉଚିତ ପଦକ୍ଷେନ ପିଆ ନଗଲେ ଆସନ୍ତା ୮ ତାରିଖରେ ରାସ୍ତା ଅବରୋଧ ନିଶ୍ଚିତ ହେବ ବୋଲି ବ୍ୟାସକବି ନଗର ବିକାଶ ପରିଷଦ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମ୍ପର୍କରେ ପରିଷଦର ଏକ ପ୍ରତିନିଧି ଦଳ ଉପ-ଜିଲ୍ଲାପାଳଙ୍କ ଦପ୍ତର ଓ ପୌରପାଳିକା କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇଛନ୍ତି ।


