ତାଲିକାରେ ନାଁ ନାହିଁ : ଧାନ ବିକିବେ କାହାକୁ
ହାଟଡିହି, (ବିକାଶ ବିଶ୍ୱାଳ) :ମଣ୍ଡିରେ ଧାନ ବିକିବାକୁ ସମବାୟ ସମିତିରେ ନାଁ ପଞ୍ଜିକରଣ କରିଥିଲେ । କିନ୍ତୁ ତାଲିକାରେ ନାଁ ଆସିନଥିବାରୁ କାହାକୁ ଧାନ ବିକିବେ ସେନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସଢ଼ା ସମବାୟ ସମିତିରେ । କିଏ ୬ଏକର ଚାଷ ଜମିର ପଞ୍ଜିକରଣ କରିଥିବାବେଳେ ତାଙ୍କର ୩କୁଇଣ୍ଟାଳ ଧାନ ବିକିବା ପାଇଁ ଅନୁମତି ମିଳିଥିବାବେଳେ ଆଉ କାହାର ଆଦୌ ପଞ୍ଜିକରଣ ହୋଇ ନାହିଁ । ଫଳରେ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଜଣେ କି ଦୁଇଜଣ ଚାଷୀ ନୁହଁ ୩୨୦ଜଣ ଚାଷୀଙ୍କ ଏପରି ସମସ୍ୟା ଉପୁଜି ଥିବାରୁ ଚାଷୀମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ଚାଷୀମାନେ ବାରମ୍ବାର ତାଲିକା ସଂଶୋଧନ କରିବାପାଇଁ ଦାବି କରି ଆସୁଥିଲେବି ସେମାନଙ୍କ ଦାବି କେହି ଶୁଣୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଢ଼େଙ୍କା ଗ୍ରାମର ଚାଷୀ ବିଦ୍ୟାଧର କର ବିଗତ ବର୍ଷ ମାନଙ୍କ ପରି ଚଳିତବର୍ଷ ମଧ୍ୟ ତାଙ୍କର ୧୨ଏକର ଜମି ପଞ୍ଜିକୃତ କରିଥିଲେ । ସମସ୍ତ ରେକର୍ଡପତ୍ର ଯଥା ସମୟରେ ଜମାକରିଥିଲେ ମଧ୍ୟ ତାଙ୍କ ନାମ ପଞ୍ଜିକୃତ ହୋି ନାହିଁ । ସେ ଏନେଇ ବାରମ୍ବାର ସଢ଼ା ସମବାୟ ସମିତିକୁ ଆସି ନିରାଶରେ ଫେରୁଥିବା କହିଛନ୍ତି । ସେହିପରି ସଢ଼ା ଗ୍ରାମର ମାୟାଧର ମହାନ୍ତିଙ୍କ ୫ଏକର ଜମି ପଞ୍ଜିକୃତ କରିଥିବାବେଳେ ମାତ୍ର ୬କୁଇଣ୍ଟାଲ ୮୯କିଲୋ ଧାନ ବିକିବା ପାଇଁ ଅନୁମତି ପାଇଛନ୍ତି । ସେହିପରି ସଢ଼ା ଗ୍ରାମର ଗଗନ ବିହାରୀ ୪ଏକର ୫୦ଡିସିମିଲ ଜମି ପଞ୍ଜିକୃତ କରିଥିବାବେଳେ ତାଙ୍କର ମାତ୍ର ୬୮ଡିସିମିଲ ଜମି ପଞ୍ଜିକୃତ ହୋଇଥିବା ସେ କହିଛନ୍ତି । ସେହିପରି କଣିଆରୀ ଗ୍ରାମର ପ୍ରସନ୍ନ ନାୟକ ୫ଏକର ୬୧ଡିସିମିଲି ଜମି ପଞ୍ଜିକୃତ କରିଥିବାବେଳେ ତାଙ୍କର ଆଦୌ ପଞ୍ଜିକୃତ ହୋଇ ନଥିବା ସେ ଜାଣିବାକୁ ପାଇଛନ୍ତି । ସେହିପରି ସଙ୍ଗମ ଗ୍ରାମର ପଦ୍ମନାଭ ପଢ଼ିଆରୀ, ବରଗଡିଆର ଦୁଖବନ୍ଧୁ ରାଉତ, ଆମ୍ବଗଡିଆର ଜଗନ୍ନାଥ ଖୁଣ୍ଟିଆ, ଢ଼େଙ୍କାର ନାରାୟଣ ବେହେରା ନାମପଞ୍ଜିକୃତ କରିବାପାଇଁ ସମସ୍ତ ରେକର୍ଡପତ୍ର ଜମା କରିଥିଲେ ମଧ୍ୟ ସେମାନଙ୍କର ଜମିକୁ ପଞ୍ଜକୃତ କରାଯାଇ ନାହିଁ । ଏହି ସମିତିରେ ୧୮୨୦ଜଣ ଚାଷୀ ନାମ ପଞ୍ଜିକୃତ କରିବାପାଇଁ ଆବେଦନ କରିଥିବାବେଳେ ମାତ୍ର ୧୩୯୧ଜଣ ଚାଷୀଙ୍କ ନାମ ପଞ୍ଜିକୃତ ହୋଇଛି । ପୁର୍ବରୁ ଥିବା ସଂପାଦକ ଏପରି କରିଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି । ଫଳରେ ଶହଶହ ଚାଷୀଙ୍କ ନାମ ପଞ୍ଜିକୃତ ହୋଇ ନଥିବାରୁ ଧାନ ବିକିବାରେ ନାନା ସମସ୍ୟା ଭୋଗ କରିବା ନିଶ୍ଚିତ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯଦି ଦିନେ ଦୁଇଦିନ ଭିତରେ କୌଣସି ବ୍ୟବସ୍ଥା କରାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସମିତିର ସମ୍ପାଦକଙ୍କୁ ପଚାରିବାରେ ପୁର୍ବତନ ସମ୍ପାଦକଙ୍କ ସମୟରେ ଏପରି ହୋଇଛି, ଆମେ ଉପରକୁ ଜଣାଇଛୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାମ କରିବୁ ବୋଲି କହିଛନ୍ତି ।


