ପୁଣି ଚାଷୀଙ୍କ ଦୁଃଖ ବଢାଇଲା ଅଦିନିଆ ବର୍ଷା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଚଳିତ ଖରିଫ ଧାନ ଚାଷକୁ ବର୍ଷା ଦାଉ ସାଧିଛି । ଗତ କାର୍ତ୍ତିକ ମାସ ଠାରୁ ଧାନ ପାଚିଥିବା ବେଳେ ପଛକୁ ପଛ ଲାଗି ରହିଛି ଝଡ ବର୍ଷା । କେତେବେଳେ ଲଘୁଚାପ ଜନିତ ବର୍ଷା ତ ପୁଣି କେତେବେଳେ ସ୍ୱାଭାବିକ ବର୍ଷା ଧାନ ଅମଳ ପାଇଁ ଅପେକ୍ଷା କରିଥିବା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୧୬ହଜାର ହେକ୍ଟରରୁ ଅଧିକ ଚାଷଜମିରେ ହୋଇଥିବା ଖରିଫ ଧାନ ବର୍ଷା କାରଣରୁ ଅର୍ଦ୍ଧାଧିକ ଭାଗ ନଷ୍ଟ ହୋଇଯାଇଛି । ଗତ୧୫ଦିନ ପୂର୍ବରୁ ୟସ ପ୍ରଭାବରେ ଚାଷ ଜମି ଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଯାଏଁ ବିଲରୁ ପାଣି ଶୁଖି ନାହିଁ । କେତେକ ଜାଗାରେ କୃଷକ ଭାଇ ମାନେ ଯଥେକଷ୍ଟେ ପାଣି ବିଲରୁ ଧାନ ଅମଳ କରିଥିଲେ ସୁଦ୍ଧା ତଥାପି ଅନେକ ଜମି ଏବେବି ପାଣି ଭିତରେ ବୁଡି ରହିଛି । ପାଣିରେ ପଡିଥିବା ଧାନ ଗୁଡିକ ଗଜା ହୋଇ ଗଛ ମଧ୍ୟ ହୋଇଗଲାଣି । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ସରିନଥିବା ବେଳେ ଗତକାଲି ଠାରୁ ପୁଣି ଅଦିନିଆ ବର୍ଷା ଆରମ୍ଭ ହୋଇଯାଇଛି । ଫଳରେ ଯେଉଁ ଚାଷ ଜମିରେ ଧାନ କଟା ହୋଇଥିଲା ତାହା ଏବେ ଖଳାକୁ ଆସିବା ଅସମ୍ଭବ ହୋଇପଡିଛି। ଅନେକ ଜମିରେ ଚାଷୀ ମାନେ ଧାନକୁ ଗଦା ଦେଇଥିବା ଦେଖାଯାଉଛି। ଆହୁରି ମଧ୍ୟ ଜମିରେ ବନ୍ଧା ଯାଇଥିବା ଧାନ କଳେଇକୁ ଆଣି ଗ୍ରାମ୍ୟ ରାସ୍ତା ଉପରେ ଚାଷୀ ମାନେ ରଖୁଥିବା ଦେଖାଯାଉଛି । ଯଦିଓ କିଛି ପରିମାଣରେ ଖଳାକୁ କ୍ଷେତ ଆସିଛି ଏବେ ବର୍ଷାରେ ସେଗୁଡିକ ଓଦା ହୋଇଯିବା କାରଣରୁ ଶସ୍ୟକୁ ଅମଳ କରି ମଣ୍ଡିରେ ଦେବା ଆଉ ସମ୍ଭବ ନୁହେଁ ବୋଲି କିଛି କୃଷକ ଜଣାଇଛନ୍ତି । ଗତ ୟସ ବର୍ଷା ଦୁଃଖ ଯାଇନଥିବା ବେଳେ ପୁଣି ଅଦିନିଆ ବର୍ଷା ଏବେ ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି । ସେ ଯାହାବି ହେଉ ଦେଶକୁ ଆହାର ଯୋଗାଉଥିବା ଚାଷୀ ଭାଇ ମାନଙ୍କର କ୍ଷୟକ୍ଷତିକୁ ଯଥାଶୀଘ୍ର ଆକଳନ କରାଯାଇ ସରକାରୀ ସ୍ତରରେ ସହାୟତା ଯୋଗାଇଦେଲେ ସେମାନଙ୍କ ମୁହଁରେ ହସ ଫୁଟି ପାରନ୍ତା ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ