ସରକାରୀ ଜମି ହଡପ କରୁଥିବା ଦଲାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ତହସିଲ ଅଧିନରେ ଥିବା ଜାମୁଗାଁ ପଂଚାୟତରେ କିଛି ଦଲାଲ ଓ ରାଜନେତା ସରକାରୀ ଜମିକୁ ମନଇଚ୍ଛା ହଡପ କରୁଛନ୍ତି । ଏସଂକ୍ରାନ୍ତରେ ତହସିଲଦାର ଜେ.କଳ୍ପନାଙ୍କୁ ଅଭିଯୋଗ କରାଯାଉଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନାହିଁ । ଯାହାଫଳରେ ଦଲାଲ ଓ ରାଜନେତା ସରକାରୀ ଜମିରେ ମନଇଚ୍ଛା ଗୃହ ନିର୍ମାଣ କରୁଛନ୍ତି । ଏହାକୁ ପ୍ରତିବାଦ କରି ଉକ୍ତ ପଂଚାୟତର ସମାଜସେବୀ ଦିଲ୍ଲିପ ପାଢୀ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସି ରହିଥିଲେ । ଜବର ଦଖଲକାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଲିଖିତ ପ୍ରତିଶୃତି ଦେବା ପରେ ଶ୍ରୀ ପାଢୀ ଅନଶନରୁ ଓହରିଥିଲେ । ଦିଲ୍ଲିପଙ୍କ ଅଭିଯୋଗ ମୁତାବକ ଜାମୁଗାଁ ମୌଜା କଂଟୁଣିଆହାଟ ନିକଟସ୍ଥ ଗୋଚର ଜମି ଖାତା ନମ୍ବର- ୧୪୬୫ ଓପ୍ଳଟ ନମ୍ବର-୩୫୨୪ ରେ ଜୈନିକ ବ୍ୟକ୍ତି ବେଆଇନ ଭାବେ ପକ୍କା ଗୃହ ନିର୍ମାଣ କରୁଛନ୍ତି । ଉକ୍ତ ବ୍ୟକ୍ତିଙ୍କର ନୂଆପୋଲ ମୌଜାରେ ୨୨ ଡିସିମିଲର ଏକ ଘରଡିହ ତାଙ୍କ ବାପାଙ୍କ ନାମରେ ରହିଥିବା ତହସିଲଦାରଙ୍କ କାର୍ଯ୍ୟାଳୟରେ ସେ ଚୁକ୍ତିପତ୍ରରେ ଦର୍ଶାଇନ୍ତି । ଜୈନିକ ବ୍ୟକ୍ତିଙ୍କର ପୈତୃକ ଘର ଡିହ ଥିବା ବେଳେ ଗୋଚର ଜମିରେ ସେ କାହିଁକି ବେଆଇନ ଗୃହ ନିର୍ମାଣ କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହିପରି ଉକ୍ତ ଗୃହ ନିର୍ମାଣ ହେବା ସମୟରେ ତହସିଲ କାର୍ଯ୍ୟାଳୟର କିଛି ଅଧିକାରୀ ଉପସ୍ଥିତ ଥିବା ବେଳେ ଖୁଲମଖୁଲା ଗୃହ ନିର୍ମାଣ ଚାଲୁ ରହିଛି । ତହସିଲ ପକ୍ଷରୁ ବେଆଇନ ଗୃହ ନିର୍ମାଣକୁ ତଦନ୍ତ କରାଯିବା ସହ ଗୃହ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନାନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଦିଲ୍ଲିପ ସୂଚନା ଦେଇଥିଲେ ।


