ପୂର୍ତ ବିଭାଗର ବାଲିଭଉଁରୀ-ଶିଖରଘାଟ ରାସ୍ତାରେ ମାଳ ମାଳ ଖାଲ
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲା ସଦର ମହକୁମାରୁ ନାଉଗାଁ ବ୍ଳକକୁ ସଂଯୋଗ କରିବାକୁ ରହିଛି ପୂର୍ତ ବିଭାଗର ବାଲିଭଉଁରୀ-ଶିଖରଘାଟ ରାସ୍ତା। ଏହି ରାସ୍ତା ଦୀର୍ଘ ଦିନ ହେବ ବିପର୍ଯ୍ୟସ୍ତ ହୋଇପଡିଛି। ଏପରିକି ରାସ୍ତାରୁ ଗୋଡି ଉଠିବା ସହ ରାସ୍ତା ସାରା ମାଳ ମାଳ ଆଣ୍ଠୁଏ ଉପରେ ଖାଲ ସୃଷ୍ଟି ହୋଇଛି। ଯାହାକୁ ପ୍ରତିବାଦ କରି ନାଉଗାଁ ଯୁବ ସଚେତନତା ମଂଚ ପକ୍ଷରୁ ନିହାର ବସ୍ତିଆ ନେତୃତ୍ୱରେ ରାସ୍ତାରେ ଜମି ଥିବା ପାଣିରେ ଅଭିନବ ଉପାୟରେ ମାଛ ଯାଆଁଳ ଆଣି ଉକ୍ତ ପାଣିରେ ମାଛ ଚାଷ କରିଥିଲୋ। ଏହି କାର୍ଯ୍ୟକ୍ରମରେ ସୁନିଲ ମାଟିଆ, ପ୍ରଭଂଜନ ନାୟକ,ଦେବଜ୍ୟୋତି ମହାନ୍ତି ଆଦି ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ଅଗଷ୍ଟ ୧୧ରେ ଯୁବ ସଚେତନତା ମଂଚ ପକ୍ଷରୁ ପ୍ରତିବାଦ କରାଯିବା ସହ ବ୍ଳକଛକ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା। ଘଟଣାସ୍ଥଳକୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ, ତହସିଲଦାର ଅକ୍ଷୟ ବଡୁ, ବିଡିଓ ନିରଞ୍ଜନ ପରିଡା ପହଂଚି ଅସ୍ଥାୟୀ ଭାବେ ରାସ୍ତା କାର୍ଯ୍ୟ କରାଯିବା ସହ ପରବର୍ତି ସମୟରେ ଟେଣ୍ଡର କରାଯାଇ ସ୍ଥାୟୀ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ପାଇବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ବିଭାଗ ପକ୍ଷରୁ ର,ଠ ଭାବେ କିଛି ଡଷ୍ଟ ବିଛାଯାଇ ରାସ୍ତା କାର୍ଯ୍ୟକୁ ଶେଷ କରି ଦିଆଯାଇଥିଲା। ଫଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉକ୍ତ ଡଷ୍ଟ ବୋହିଯିବା ସହ ଯାନବାହାନ ଯିବା ଫଳରେ ରାସ୍ତାରେ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇଛି। ଯାହାକି ଯାତାୟାତ କରିବାରେ ସମସ୍ୟା ସୃଷ୍ଟି କରିଛି। ଏପରିକି ଏହି ରାସ୍ତା ଦେଇ ଯିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତାରେ ଯିବା ପାଇଁ ସାଧାରଣ ଲୋକେ ଭୟ କରୁଛନ୍ତି। ଏହି ରାସ୍ତାଟି ପୁରୀ ଜିଲାକୁ ସଂଯୋଗ କରୁଥିବାରୁ ପ୍ରତ୍ୟେହ ଏହି ରାସ୍ତା ଦେଇ ଜିଲା ତଥା ଜିଲା ବାହାରୁ ବହୁ ଯାତ୍ରୀବାହୀ, ମାଲବାହି ଗାଡି ଯିବା ଆସିବା କରିଥାନ୍ତି। ଯଦି ଉକ୍ତ ରାସ୍ତାର ସ୍ଥାୟୀ ସମାଧାନ କରା ନଯାଏ ତେବେ ମଂଚ ପକ୍ଷରୁ ଆନ୍ଦୋଳାନତ୍ମାକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।


