ମହିଳା ଓ ନାବାଳିକା ଝିଅକୁ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପଖଟ ଗ୍ରାମର ଜନୈକ ମହିଳା ଏବଂ ତାଙ୍କ ନାବାଳିକା ଝିଅକୁ ପଡୋଶୀ ମରଣାନ୍ତଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେହି ଗ୍ରାମର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ପତ୍ନୀ ସୁଭାସିନୀ ସ୍ୱାଇଁଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ କଲିକତାରେ ରହି କାମ କରିଥାନ୍ତି । ଗ୍ରାମରେ ସୁଭାସିନୀ ଓ ତାଙ୍କ ନାବାଳିକା ଝିଅ ଏକା ରୁହନ୍ତି । ଗତ ବୁଧବାର ସୁଭାସିନୀଙ୍କ ବାଡିରେ ତାଙ୍କ ପଡୋଶୀ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଗାଈ ପଶି ଫସଲ ଖାଇଯିବାରୁ ସେ ଏହାର ପ୍ରତିବାଦ କରିଥିଲେ । ଫଳରେ ରମେଶ ଏଥିରେ ଉତକ୍ଷିପ୍ତ ହୋଇ ସୁଭାସିନୀଙ୍କ ଘରେ ପଶି ତାଙ୍କୁ ଏକ ଠେଙ୍ଗାରେ ପିଟିବା ସହ ମାଡମାରି ଲହୁଲୁହାଣ କରିଦେଇଥିଲେ । ମା’ର ଚିତ୍କାର ଶୁଣି ନାବାଳିକା ଝିଅ ଦୈାଡିଆସି ଘଟଣାର ପ୍ରତିବାଦ କରିଥିଲା । ରମେଶ ନାବାଳିକା ଝିଅକୁ ମାଡମାରିଥିଲା । ଉଭୟ ମା’ଝିଅଙ୍କ ପାଟି ଶୁଣି ଆଖପାଖର ଲୋକମାନେ ଜମା ହୋଇଯିବାରୁ ଅଭିଯୁକ୍ତ ରମେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ମା ଓ ଝିଅ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ କେନ୍ଦ୍ରାପଡା ସଦର ଥାନାରେ ସୁଭାସିନୀ ଲିଖିତ ଅଭିଯୋଗ କରିଥିଲେ । ସ୍ୱାମୀଙ୍କ ଅନୁପସ୍ଥିତିରେ ସୁଭାସିନୀଙ୍କୁ ରମେଶ ବାରମ୍ବାର ଏଭଳି ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିିଛି ।