ବିଜେଡିର ଗୋଷ୍ଠୀ କନ୍ଦଳରୁ ଫାଇଦା ଆଶାରେ ବିରୋଧୀ : ରାଜନୈତିକ ଉଷ୍ମତା ବୃଦ୍ଧି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ବ୍ଳକର ୨୧ ସରପଞ୍ଚ, ସମିତି ସଭ୍ୟ, ୩୦୭ ଓ୍ବାର୍ଡ ସଭ୍ୟ ସମେତ ୩ ଜିଲ୍ଲା ପରିଷଦ ସଭ୍ୟ ସକାଶେ ଆସନ୍ତା ଫେବୃୟାରୀ ୧୬ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ପାଇଁ ଗ୍ରାମାଞ୍ଚଳ ଗୁଡିକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ସକାଶେ ମାଳ ମାଳ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଆସୁଛନ୍ତି । ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ସକାଶେ ଦଳୀୟ ସଙ୍କେତ ନଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ସକାଶେ ଦଳୀୟ ସଙ୍କେତ ରହିଛି । ଏହି ପରିପ୍ରେକ୍ଷୀରେ ଶାସକ ବିଜୁ ଜନତା ଦଳ ସମେତ ବିରୋଧି ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋନୀତ କରାଯାଇଛି । ଶାସକ ବିଜେଡି ପକ୍ଷରୁ ୬୭ ନମ୍ବର ଜୋନ୍ ପାଇଁ ବି ଗିତାଞ୍ଜଳି, ୬୮ ନମ୍ବର ଜୋନ୍ ପାଇଁ ଏଳା ସୁଦର୍ଶନ ଓ ୬୯ ନମ୍ବର ଜୋନ୍ ପାଇଁ ପ୍ରିତି ସାହୁଙ୍କୁ ମନୋନୀତ କରାଯାଇଛି । ସେହିପରି ଭାରତୀୟ ଜନତା ପାର୍ଟି ପକ୍ଷରୁ ୬୭ ନମ୍ବର ଜୋନ୍ ପାଇଁ ଏନ୍ ସୁଦଷ୍ଣା, ୬୮ ନମ୍ବର ଜୋନ୍ ପାଇଁ ରଜନୀକାନ୍ତ ପାଢି ଓ ୬୯ ନମ୍ବର ଜୋନ୍ ପାଇଁ ୟୁ ବାସନ୍ତୀଙ୍କୁ ମନୋନୀତ କରାଯାଇଛି । ଅନୁରୂପ ଭାବେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୬୭ ନମ୍ବର ଜୋନ୍ ପାଇଁ ଭାରତୀ ଗଉଡ, ୬୮ ନମ୍ବର ଜୋନ୍ ପାଇଁ ସଞ୍ଜୟ ସ୍ବାଇଁ ଓ ୬୯ ନମ୍ବର ଜୋନ୍ ପାଇଁ ଧରିତ୍ରୀ ପୁରୋହିତଙ୍କୁ ମନୋନୀତ କରାଯାଇଛି । ସ୍ଥାନୀୟ ଅଞ୍ଚଳର ଶାସକ ବିଜେଡି କର୍ମୀ ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଓ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରି ଆସୁଛନ୍ତି । ସେହିପରି ବିରୋଧୀ ବିଜେପି କର୍ମୀ ମାନେ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ସେହିଭଳି କଂଗ୍ରେସ କର୍ମୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷେଦଗାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିର ଗୋଷ୍ଠୀ କନ୍ଦଳ ଦେଖାଦେଇଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ଏହାର ଫାଇଦା ଆଶାରେ ରହିଥିବା ଦେଖିବାକୁ ମିଳିଛି । ନିର୍ବାଚନ ଆହୁରି ୨୫ ଦିନ ବାକି ରହିଥିବା ବେଳେ ୩ ଦଳର ମନୋନୀତ ପ୍ରାର୍ଥୀ ମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରି ନିର୍ବାଚନ ବୈତରଣୀ ପାର ହେବାକୁ ଆଶାବ୍ୟକ୍ତ କରିଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତି ପଞ୍ଚାୟତର ଦଳୀୟ ସନ୍ତୁଷ୍ଠ ଓ ଅସନ୍ତୁଷ୍ଠ କର୍ମୀଙ୍କ ସହ ଆଶୟୀ ପ୍ରାର୍ଥୀ ମାନଙ୍କୁ ନେଇ ଏକ ପ୍ରକାର ଚୟନ ଓ ନିର୍ବିରୋଧ ନିର୍ବାଚନ ଓ ଦଳୀୟ ସମର୍ଥିତ ନିମନ୍ତେ ମସୁଧା କରି ଗୋଷ୍ଠି କନ୍ଦଳ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଛି ।ଫଳରେ ସମସ୍ତଙ୍କୁ ମନାଇ ଦଳପାଇଁ ଭୋଟ ସଂଗ୍ରହ ନିମନ୍ତେ ସହମତି ସୃଷ୍ଠି କରିବା ହିଞ୍ଜିଳି ବିଜେଡ଼ିରେ ନେତୃତ୍ୟ ଅଭାବ ପରିଲିଖିତ ହେବା ସମ୍ଭାବନା ରହିଛି । ବିଜେଡ଼ି ମଧ୍ୟରେ ଗୋଷ୍ଠି କନ୍ଦଳ ଉଗ୍ରରୁପ ଧାରଣ କରିଛି ।ଫଳର ଏହାର ଫାଇଦା ବିରୋଧୀ ନେବା ନିମନ୍ତେ ଆଖିଦୃଷ୍ଠିଆ ପଦକ୍ଷେପ ନେଇନଥିଲେ ମଧ୍ୟ ଅସନ୍ତୁଷ୍ଠଙ୍କ ଫାଇଦା ବିରୋଧୀ ଉଠାଇବ ବୋଲି ନିର୍ବାଚନ ଆକଳନରୁ ଆଲୋଚନା ହେଉଛି । ହିଞ୍ଜିଳିକାଟୁ ବ୍ଳକରେ ମହିଳା ଭୋଟର ୪୬୪୧୮ ମହିଳା ଭୋଟର, ୫୧୭୯୪ ପୁରୁଷ ଭୋଟର ଓ ଅନ୍ୟ ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ସର୍ବ ମୋଟ ୯୮୨୨୪ ଭୋଟର ରହିଛନ୍ତି ।