କଫ ସମସ୍ୟାର ଘରୋଇ ଉପଚାର
କଫଜନିତ ସମସ୍ୟାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଦରକାର । ହେଲେ ଏପରି କେତେକ ଘରୋଇ ଉପାୟ ରହିଛି ଯାହାକୁ ଆପଣେଇ ଜଣେ କଫ ସମସ୍ୟାର ପ୍ରାରମ୍ଭିକ ଅବସ୍ଥାରେ ସେଥିରୁ ଉପଶମ ଲାଭ କରିପାରିବ । ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ଏହାକୁ କିଛି ସମୟ ଗରମ କରି ପିଅନ୍ତୁ । ଏହା ଦ୍ୱାରା କଫଜନିତ ସମସ୍ୟାରୁ ଉପଶମ ମିଳିଥାଏ । ଅଦାକୁ ଛୋଟ ଛୋଟ ଆକାରରେ କାଟି ପାଣିରେ ମିଶାଇ ସେହି ମିଶ୍ରଣ ପାଣିକୁ ପିଅନ୍ତୁ । ଦେଖିବେ କାଶରୁ ଅନେକାଂଶରେ ଲାଘବ ମିଳିବ । ଏହାବ୍ୟତୀତ ଅଦା ରସରେ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ । ଦୁଇ ଚାମଚ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ତାକୁ ଉଷୁମ କରି ପିଇଲେ କାଶରୁ ଉପଶମ ମିଳିଥାଏ । ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ଦିନକୁ ଦୁଇ ଥର ପିଇଲେ କାଶ ସହ ଥଣ୍ଡା ସମସ୍ୟା ଦୂର ହୋଇଥାଏ ।


