ପାରିଶ୍ରମିକ ବୃଦ୍ଧି ସକାଶେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲାର ସମଗ୍ର ଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସମ୍ବଳ ଶିକ୍ଷକମାନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଅଧିନରେ ପ୍ରତ୍ୟେକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଭିନ୍ନକ୍ଷମ ବିଭାଗର ଦୁଇଜଣ ଲେଖାଁଏ ଶିକ୍ଷକ/ ଶିକ୍ଷୟିତ୍ରୀ ଦୀର୍ଘ ୧୬ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଅଧ୍ୟୟନରତ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରୁ ଚିହ୍ନଟ କରିବା ସହିତ ଆବଶ୍ୟକତା ଅନୁଯାୟୀ ସହାୟକ ଉପକରଣ ପ୍ରଦାନ କରିବା, ଡାକ୍ତରୀ ଚିକିତ୍ସା ସହ ଭୌତିକ ଚିକିତ୍ସା କରାଇବା, ଦିବ୍ୟାଙ୍ଗ ପ୍ରମାଣପତ୍ର କରାଇବା, ସହାୟକ ଭତ୍ତା ପ୍ରଦାନ, ବୃତ୍ତି ପ୍ରଦାନର ବ୍ୟବସ୍ଥା କରାଇବା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ, ପିତାମାତାଙ୍କୁ ତାଲିମ୍ ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଅତ୍ୟାଧିକ ବାଧିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଗୃହଭିତ୍ତିକ ଶିକ୍ଷା ସହ ବିଭିନ୍ନ କୌଶଳ ଶିଖାଇବା କାର୍ଯ୍ୟ କରାଇବା ସତ୍ତ୍ୱେ ଦୀର୍ଘ ୧୬ ବର୍ଷ ଧରି ସ୍ୱଳ୍ପ ବେତନ ପାଇଆସୁଛନ୍ତି ଗୋଷ୍ଠୀ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀ । ସରକାରୀ ଶିକ୍ଷକ ମାନଙ୍କ ଭଳି ସମାନ ଶିକ୍ଷାଗତ ଯୋଗ୍ୟତା ହାସଲ କରି ମଧ୍ୟ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଂଚିତ ହୋଇ ଆସୁଛନ୍ତି । ଏମାନେ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ଅନୁଯାୟୀ ବିଭିନ୍ନ ବିଦ୍ୟାଳୟକୁ ଯାଇ ୨୧ ପ୍ରକାର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶୈକ୍ଷିକ ସହ ଯୋଗ ପ୍ରଗତି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଇବା ସହ ଶିକ୍ଷାର ମୁଖୟ ସ୍ରୋତରେ ସାମିଲ କରାଇବାରେ ମୁଖ୍ୟ ପୁରୋଧା ସାଜିଥିବା ବେଳେ ସରକାରଙ୍କ ବୈମାତୃକ ମନୋଭାବ ଦ୍ୱାରା ଏମାନେ ଅବହେଳିତ ହୋଇଆସୁଛନ୍ତି ବୋଲି ଉକ୍ତ ଦାବିପତ୍ରରେ ଦର୍ଶାଇଛନ୍ତି । ଏହାସହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ଘରକୁ ଯାଇ ଶିକ୍ଷା ପ୍ରଦାନ ଏବଂ ବିଭିନ୍ନ ବିଦ୍ୟାଳୟକୁ ଯାଇ ଚିହ୍ନଟି କରଣ ଠାରୁ ଆରମ୍ଭ କରି ବିଭିନ୍ନ ବୃତ୍ତି ପାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିବା ସତ୍ତ୍ୱେ ଗସ୍ତ ଖର୍ଚ୍ଚରୁ ବଂଚିତ ହୋଇଛନ୍ତି । ସ୍ୱଳ୍ପ ପାରିଶ୍ରମିକ ଏବଂ ଗସ୍ତ ଖର୍ଚ୍ଚ ନ ପାଇବା ଯୋଗୁଁ ବର୍ତ୍ତମାନର ପ୍ରଚଳିତ ବଜାର ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏମାନଙ୍କ ପାଇଁ ଅସହ୍ୟ ହୋଇପଡୁଛି ବୋଲି ମଧ୍ୟ ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହାର ସମାଧାନ କରିବା ପାଇଁ ଗୋଷ୍ଠୀ ସମ୍ବଳ ଶିକ୍ଷକ ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ସଂଘର ସଭାପତି ହେମନ୍ତ ନନ୍ଦ, ସମ୍ପାଦକ ସୁଶାନ୍ତ ଡାକୁଆଙ୍କ ସମେତ ବହୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।


