ଓଡିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ ହେବ ଇଂରାଜୀ ବନାନ: ଆସ୍କା ହେବ ଆସିକା

ଆସିକା  (ୱାଇଏନ୍‍ଏସ୍‍) : ବଦଳିବ ଇଂରାଜୀ ବନାନ । ନାମର ହେବ ସଂଶୋଧନ । ଆଗାମୀ କିଛି ଦିନ ପରେ ଇଂରାଜୀ ଭାଷାରେ ଲେଖାଯାଉଥିବା ଆସ୍କାକୁ ପରିବର୍ତ୍ତନ କରାଯାଇ ଆସିକା ଲେଖାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଓଡିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନକୁ ସଂଶୋଧନ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡିଛି । ଗତ ଫେବୃୟାରୀ ମାସ ୪ ତାରିଖରେ ରାଜ୍ୟ ସରକାର ଅନ୍ୟ କେତେକ ସ୍ଥାନର ଇଂରାଜୀ ବନାନକୁ ବଦଳାଇବା ପାଇଁ ପଦକ୍ଷେପ ନେଇଥିଲା ବେଳେ ସେଥିରେ ଆସିକାର ସ୍ଥାନ ନଥିଲା । ଓଡିଶା ଶବ୍ଦ ଅନୁଯାୟୀ ଇଂରାଜୀ ବନାନକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି ହୋଇଥିଲା ବେଳେ ଜନପ୍ରତିନିଧି ଓ ଜନସାଧାରଣ ସେମାନଙ୍କ ମତାମତ ତଥା ସୁଚିନ୍ତିତ ପରାମର୍ଶ ଆସନ୍ତା ୧ ମାସ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପତ୍ର କିମ୍ବା ଇ-ମେଲ୍‍ ମାଧ୍ୟମରେ ପ୍ରେରଣ କରିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି । କାହିଁ କେଉଁ ଆବାହମାନ କାଳରୁ ଆସିକାର ଇଂରାଜୀ ନାମଲେଖାକୁ ନେଇ ଦ୍ୱନ୍ଦ ରହିଥିଲା । ଆସିକା ସହ ତଥା ଏହାର ଆଖପାଖ ଅଞ୍ଚଳର କେତେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ସାଇନ୍‍ ବୋର୍ଡ ଇଂରାଜୀରେ ଆସ୍କା ବୋଲି ଲେଖାଯାଇଥିବା ଦେଖିବାକୁ ମିଳୁଛି । ଓଡିଆ ଭାଷାରେ ଆସିକା ଲେଖାଯାଇଥିବା ବେଳେ ଇଂରାଜୀରେ ଆସ୍କା ଲେଖାଯାଇଥିବା ପରିଲକ୍ଷିତ ହେଉଛି । ଓଡିଆ ଅସ୍ମିତାକୁ ଆହୁରି ପ୍ରୋତ୍ସାହିତ ଏବଂ ଓଡିଆ ଭାଷାର ବହୁଳ ପ୍ରସାର ଓ ପ୍ରଚାର ପାଇଁ ଇଂରାଜୀ ଉଚ୍ଚାରଣକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ନିଶ୍ଚିତ ଭାବେ ଓଡିଆ ଭାଷାଗତ ପରିଚୟକୁ ଆହୁରି ସୁଦୃଢ କରିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନକୁ ସଂଶୋଧନ କରିବା ସକାଶେ ସାର୍ବଜନୀନ ସୂଚନା ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ଏହି ସଂଶୋଧନ ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ବଡ କଥା ହେଉଛି ଓଡିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନର ସଂଶୋଧନ ହେଲେ ରାଜସ୍ୱ ରେକର୍ଡ ଠାରୁ ଆରମ୍ଭ କରିି ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର ସମେତ ଅନ୍ୟାନ୍ୟ ସରକାରୀ ଦଲିଲପତ୍ରରେ ସଂଶୋଧନ ପାଇଁ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ