ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବ ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର
ବାଲିଗୁଡ଼ା :(ସଞ୍ଜୟ କୁମାର ପାଣିଗ୍ରାହୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ । ପ୍ରାର୍ଥୀ ଭୋଟରମାନଙ୍କୁ ମନେଇବା ପାଇଁ ବିଭିନ୍ନ ଢ଼ଙ୍ଗରେ କରୁଛନ୍ତି ପ୍ରଚାର ଏବଂ ଭୋଟ୍ ଭିକ୍ଷା ମଧ୍ୟ କରୁଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ଯୁବପିଢ଼ି ଓ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ଜଣେ ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବକ ଅଶୋକ ମଳିକ ସରପଞ୍ଚ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଛନ୍ତି । ବିଏସି ପାଠପଢ଼ା ପରେ ସେ ବିଭିନ୍ନ ସ୍ଵେଛାସେବୀ ଅନୁଷ୍ଠାନରେ କାମ କରିବା ସହ ରାଜ୍ୟ ସରକାରଙ୍କ ମିଲେଟ ମିଶନରେ ମଧ୍ୟ କାମ କରିଛନ୍ତି । ଏଥିସହିତ ଲକ୍ ଡାଉନ୍ ସମୟରେ ନିଜ ଗାଁ ସିତାପଡ଼ିର ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ମଧ୍ୟ ପଢ଼ାଇଛନ୍ତି । ବର୍ତ୍ତମାନ ଅଶୋକ ଖୋଲାବହି ଚିହ୍ନ ପାଇବା ପରେ ନିଆରା ଢଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ହାତରେ ଖୋଲାବହି ଧରି ଭୋଟରଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି । ସରପଞ୍ଚ ହେଲେ ମିଡ଼ିଆକିଆ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଲଢ଼େଇ କରିବି ବୋଲି କହିଛନ୍ତି ଅଶୋକ । ସେପଟେ ଶିକ୍ଷିତ ଯୁବକ ସରପଞ୍ଚ ହେଲେ ଆମ ଅଞ୍ଚଳର ବିକାଶ ହୋଇପାରିବା ସହ ସରକାରଙ୍କ ସମସ୍ତ ଯୋଜନା ଆମେ ଠିକ୍ ଭାବରେ ପାଇପାରିବୁ ଓ ବୁଝିପାରିବୁ ବୋଲି କହିଛନ୍ତି ଅଞ୍ଚଳବାସୀ ।


