ବିଧାୟକଙ୍କ ଦବଙ୍ଗଗିରିକୁ ଜିଲ୍ଲା କଂଗ୍ରେସର ନିନ୍ଦା

ବାଲେଶ୍ୱର, (ସରୋଜ ପଣ୍ଡା) :-ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ନିକଟ ଅତୀତରେ ସୋର ବିଧାୟକ ପର୍ଶୁରାମ ଧଡ଼ା ଓ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକଙ୍କର ହୋଇଥିବା ବଚସା ଓ ଅଭାବନୀୟ କାଣ୍ଡ ଏବେ ସୋସିଆଲ ମିଡିଆରେ ପ୍ରସାର ହେବାରେ ଲାଗିଛି । ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ଯୋଗଦେଇ ଶାସକ ଦଳ ବିଧାୟକଙ୍କ କ୍ଷମତା ନିଶାର ଦୃଢ଼ ସମାଲୋଚନା କରିଥିଲେ । ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ବିଜୁ ଜନତା ଦଳର କଳା ଶାସନ ଚାଲିଥିବା ବେଳେ ବିଧାୟକମାନେ ନିଜକୁ ଆଇନଠାରୁ ଉପରେ ବୋଲି ଭାବିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ସୋର ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲା ବ୍ୟାପୀ ଆନ୍ଦୋଳନ ତେଜିବ ବୋଲି ସେ ଚେତାବନୀ ଦେଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ପରିମାଣିକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ବିବୃତ୍ତି ଦେଇଥିଲେ । ନିଜ ଘର ପାଖକୁ ବିଧାୟକ ଆସିଥିବା ବେଳେ ସୌଜନ୍ୟତାମୂଳକ ସାକ୍ଷାତ ସହ ଜଣେ ସାଧାରଣ ନାଗରିକ ଭାବେ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସେ ପ୍ରଶ୍ନ ପଚାରିଥିଲେ । ମାତ୍ର ବିଧାୟକ ଶ୍ରୀ ଧଡା ତାଙ୍କ ପ୍ରତି ଦୁର୍ବବ୍ୟହାର ପ୍ରଦର୍ଶନ ସହ ସୁରକ୍ଷାବଳ ଓ କର୍ମୀଙ୍କ ଦ୍ୱାରା ଟଣାଘୋସରା କରିଥିବା ଶ୍ରୀ ପରିମାଣିକ କହିଛନ୍ତି । ଜଣେ ପୂର୍ବତନ ବିଧାୟକଙ୍କୁ ଶାସକ ଦଳର ବିଧାୟକ ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ବେଳେ ସୋର ଅଞ୍ଚଳରେ ସାଧାରଣ ଲୋକଙ୍କ ସ୍ଥିତି କିଭଳି ଥିବ ତାହା ଏଇଥିରୁ ଅନୁମେୟ ବୋଲି ସେ କ୍ଷୋଭର ସହ କହିଥିଲେ । ଏ ନେଇ ସେ ଥାନାରେ ଏତଲା ଦେଇଥିବା ବେଳେ ତୁରନ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ । ନତୁବା ଆଗାମୀ ଦିନରେ ସୋର ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳ ବିଧାୟକଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ପରମାଣିକ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ