ଉତ୍କଳ ସାମ୍ବାଦିକ ସଂଘର ପ୍ରତିନିଧି ମଣ୍ଡଳୀଙ୍କୁ ଆୟୁକ୍ତଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପଞ୍ଚାୟତ ନିର୍ବାଚନ ଅବସରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ଓ ର୍ନିବିରୋଧ ଖବର ସଂଗ୍ରହ ନିମିତ୍ତି ନିର୍ଦ୍ଦେଶନାମା ଜାରି ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ । ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ପାଢୀଙ୍କୁ ଭେଟି ଆଲୋଚନା କରିଥିଲେ । ନିର୍ବାଚନ ଅବସରରେ ଖବର ସଂଗ୍ରହକୁ ନେଇ କଣାସ, ପିପିଲି, କଟକ ସଦର, ଚାନ୍ଦବାଲି ସମେତ ବିଭିନ୍ନ ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ସହ ଖବର ସଂଗ୍ରହରେ ସ୍ଥାନୀୟ ବୁଥ୍ ଅଧିକାରୀ ଓ ପୋଲିସ୍ ପକ୍ଷରୁ ବିରୋଧର ଚିତ୍ର ସାମ୍ନାକୁ ଆସିଛି । ଏପରିକି ଚାନ୍ଦବାଲିସ୍ଥିତ ବୁଥ୍ ଦାୟିତ୍ୱରେ ଥିବା ଅଧିକାରୀ ଖବର ସଂଗ୍ରହ ପାଇଁ ନିର୍ବାଚନ ଆୟୁକ୍ତଙ୍କ ଅନୁମତି ପତ୍ର ଲୋଡ଼ିବା ସାମ୍ବାଦିକଙ୍କ ଅଧିକାର ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥିଲେ । ନିର୍ବାଚନ ଆୟୁକ୍ତ ସମସ୍ତ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ସହିତ ନିର୍ବାଚନ ସମୟରେ ଖବର ପ୍ରସାରଣରେ ଗଣମାଧ୍ୟମର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ କୌଣସି ବାଧାକୁ ବରଦାସ୍ତ ରଖାଯିବ ବୋଲି କହିଥିଲେ । ଯଦି ସେଭଳି କୌଣସି ଘଟଣା ଦୃଷ୍ଟିକୁ ଆସେ, ତେବେ ସେମାନଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀଯୁକ୍ତ ପାଢୀ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଆୟୁକ୍ତଙ୍କ ସଚିବ ରବିନାରାୟଣ ସାହୁ ଓ ଉପ ସଚିବ ଆଜାଦ୍‌ହିନ୍ଦ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ଏହି ଆଲୋଚନା ବେଳେ ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ପପୁ ମହାନ୍ତି, ସନତ ମିଶ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଅଶୋକ ସାହୁ, ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜନେ ଚୌଧୁରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ