୧୦୫୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
ହାଟଡିହି, (ବିକାଶ ବିଶ୍ୱାଳ ) :-ହାଟଡିହି ବ୍ଲକର ୩୧ଟି ପଞ୍ଚାୟତରେ ଆସନ୍ତାକାଲି ହେବାକୁ ଯାଉଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ପ୍ରଶାସନ ସ୍ତରରେ ପ୍ରସ୍ତୁତି ଚୁଡାନ୍ତ ହୋଇଥିବାବେଳେ ଆଜି ସମସ୍ତ ବୁଥକୁ ପୁଲିଙ୍ଗ ପାର୍ଟିମାନେ ଯାତ୍ରା କରିଛନ୍ତି । ହାଟଡିହି ବ୍ଲକରେ ୪୧୯ଟି ୱାର୍ଡ ଥିବାବେଳେ ୪୧୯ଟି ବୁଥରେ ଆସନ୍ତା ଫେବୃୟାରୀ ଏହି ନିର୍ବାଚନ ହେବ । ମୋଟ ୧ଲକ୍ଷ ୩୨ହଜାର ୫୫୪ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଆସନ୍ତାକାଲି ହେବକୁଥିବା ଏହି ନିର୍ବାଚନରେ ୪ଟି ଜୋନର ୧୩ଜଣ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ସହିତ ୧୪୧ଜଣ ସମିତିସଭ୍ୟ, ୧୨୩ଜଣ ସରପଞ୍ଚ ଓ ୭୭୪ଜଣ ୱାର୍ଡସଭ୍ୟସଭ୍ୟାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଥିପାଇଁ ଆଜି ପ୍ରଶାସନ ପକ୍ଷରୁ ହାଟଡିହି କଲେଜରେ ପ୍ରସ୍ତୁତି ଶିବିର କରାଯାଇ ପୁଲିଙ୍ଗ ପାର୍ଟି ମାନଙ୍କୁ ବୁଥ ମାନଙ୍କୁ ପଠାଯାଇଛି । ଏଥିପାଇଁ ପ୍ରତିବୁଥକୁ ପ୍ରିଜାଇଡିଂ ଅଫିସର, ପୁଲିଙ୍ଗ ଅଫିସର ଓ ପୁଲିସ କର୍ମଚାରୀଙ୍କୁ ମିଶାଇ ୧୬୭୬ ଜଣଙ୍କୁ ପଠାଯାଇଥିବାବେଳେ ୪୧ଟି ପୁଲିଙ୍ଗ ପାର୍ଟିକୁ ରିଜର୍ଭ ରଖାଯାଇଛି । ଏହି ବ୍ଲକରେ ମୋଟ ୪୧୯ଟି ବୁଥ ମଧ୍ୟରୁ ୭୧ଟି ବୁଥ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ସେହିପରି ହାଟଡିହି ପଞ୍ଚାୟତର ଜଳକଳଙ୍ଗରେ ମହିଳା ମାନଙ୍କ ପାଇଁ ଦୁଇଟି ପିଙ୍କି ବୁଥ କରାଯାଇଛି । ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ବିନୀତା ବିଜୟିନୀ, ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ନନ୍ଦିପଦା ଥାନା ଅଧିକାରୀ ଗଗନ ବିହାରୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରୁଥିଲେ । ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଉପସ୍ଥିତ ରହି ପରିଚାଳନାର ସୁବ୍ୟବସ୍ଥା କରିଛନ୍ତି । ନିର୍ବାଚନ ପାଇଁ ଆସିଥିବା ଗାଡି ଗୁଡିକୁ ତେଲ ପାଇଁ ଟଙ୍କା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଦର୍ଶାଇ ଗାଡି ଚାଳକମାନେ ଗାଡି ନନେବାକୁ ଅଡିବସିବାରୁ ପୁଲିଙ୍ଗ ପାର୍ଟିମାନେ ଯିବାରେ ବିଳମ୍ବ ହୋଇଥିଲା । ପରେ ବିଡିଓ ସେମାନଙ୍କ ସହିତ ଆଲୋଚନା କରି ତେଲପାଇଁ ଅଧିକ ଟଙ୍କା ଦେବାର ବ୍ୟବସ୍ଥା କରିବାପରେ ସେମାନେ ଗାଡିନେଇ ମତଦାନ କେନ୍ଦ୍ର ମାନଙ୍କୁ ବାହାରି ଥିଲେ । ସେହିପରି ଭୋଟ ଗ୍ରହଣ କେନ୍ଦ୍ରକୁ ଯାଉଥବବା ପୁଲିଙ୍ଗ ପାଟି ମାନଙ୍କୁ ଆବଶ୍ୟକ ସାଜ ସରଞ୍ଜାମ ଠିକ ଭାବେ ଦିଆଯାଉ ନଥିବାରୁ କିଛି ପୁଲିଙ୍ଗ ପାର୍ଟି ଅଭିଯୋଗ କରିଥିଲେ । ସେକ୍ଟର ଅଫିସର ମାନଙ୍କ ଦ୍ୱାରା ଆବଶ୍ୟକ ସମସ୍ତ ସରପଞ୍ଜାମ ଯୋଗାଇ ଦିଆଯିବ ବୋଲି ବିଡିଓ ସେମାନଙ୍କୁ ପ୍ରତିଶୃତି ଦେବାପରେ ସେମାନେ ବୁଥ ଅଭିମୁଖେ ଯାଇଥିଲେ । ସେହିପରି ସମ୍ବେଦନଶୀଳ ଓ ଅତିସେମ୍ବଦନ ଶୀଳ ବୁଥରେ ସିସିଟିଭି ଲାଗି ନଥିବାବେଳେ କେବଳ ପୁଲିସ ପେଟ୍ରୋଲିଂକୁ ବଢ଼ାଯାଇଥିବା ବିଡିଓ କହିଛନ୍ତି ।


