ବୃତ୍ତି ମୋ ପୋଷେ କୁଟୁମ୍ବ : ସ୍ତ୍ରୀ ସରପଞ୍ଚ ଥାଇ ସୁଦ୍ଧା ସ୍ୱାମୀ ବିକୁଛନ୍ତି ଖଜୁରୀ ରସ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ସମ୍ପ୍ରତି ରାଜନୀତି ଏକ ବ୍ୟବସାୟରେ ପରିଣତ ହୋଇଥିବା ବେଳେ ରାଜନେତା ମାନେ ଥରେ ନିର୍ବାଚିତ ହେବାପରେ ଶହେ ବର୍ଷ ପାଇଁ ଧନ ସଞ୍ଚୟ କରୁଛନ୍ତି । ନାମକୁମାତ୍ର ସମାଜସେବା ଚାଲିଥିବା ପ୍ରଚାର ହେଉଥିବା ବେଳେ ପ୍ରକୃତ ପକ୍ଷେ ନେତା ମାନେ ନିଜର ପ୍ରତିଷ୍ଠା ଓ ପ୍ରତିପତି ବଢାଇବା ପାଇଁ ସଦାସର୍ବଦା ବ୍ୟଗ୍ର ହୋଇ ଉଠୁଛନ୍ତି। ସେ ହୁଅନ୍ତୁ ସରପଞ୍ଚ, ବିଧାୟକ, ସାଂସଦ ବା ଅନ୍ୟାନ୍ୟ ବଡ଼ବଡ଼ ପଦ ପଦବୀର ରାଜନେତା। ଥରେ ନିର୍ବାଚିତ ହେଲେ ପାଞ୍ଚ ବର୍ଷ ଭିତରେ ୧୦୦ବର୍ଷ ପାଇଁ ଅର୍ଥ ସଞ୍ଚୟ କରୁଛନ୍ତି। ତଥାପି ରାଜନୀତିରେ କିଛି ସରଳ, ନିଷ୍କପଟ ଓ ସ୍ୱେଚ୍ଛାକୃତ ସେବାଧାରୀଙ୍କ ସଂଖ୍ୟା ଏବେ ବି ପରିଲକ୍ଷିତ ହୁଏ । ନିର୍ବାଚିତ ପଦ ପଦବୀରେ ଥାଇ ସୁଦ୍ଧା ପରିବାର ପ୍ରତିପୋଷଣ ପାଇଁ ଆଜି ବି ସୁଦ୍ଧା କୌଳିକ ବୃତ୍ତିକୁ ଆପଣାଇଛନ୍ତି ସରପଞ୍ଚଙ୍କ ସ୍ୱାମୀ । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତର ସରପଞ୍ଚ ଥିବା ଜୟନ୍ତୀ ବେହେରାଙ୍କ ସ୍ୱାମୀ ବଳରାମ ଏବେ ବି ସୁଦ୍ଧା କୌଳିକ ବୃତ୍ତିକୁ ଛାଡି ନାହାନ୍ତି । ଜୟନ୍ତୀ ସରପଞ୍ଚ ଭାବେ ୨୦୧୭ମସିହା ଠାରୁ ନିର୍ବାଚିତ ହୋଇଥିବା ବେଳେ ଅଦ୍ୟାବଧି ସେ କାର୍ଯ୍ୟରତ ଅଛନ୍ତି। ଯଦିଓ ବଳରାମ ପଞ୍ଚାୟତ ଠାରୁ ବ୍ଲକ ଯାଏଁ ସରପଞ୍ଚଙ୍କର ଦାୟିତ୍ୱ ବୁଝୁଛନ୍ତି ତଥାପି ବୃତ୍ତିକୁ ମଧ୍ୟ ସମାନ ଭାବେ ପରିଚାଳନା କରୁଛନ୍ତି। ବଳରାମ ଜଣେ ସରଳ ଓ ନିଷ୍କପଟ ବ୍ୟକ୍ତିତ୍ୱ ଭାବେ ପଞ୍ଚାୟତ ଅଞ୍ଚଳରେ ବେଶ ଜଣାଶୁଣା । ଦୈନିକ ସକାଳ ହେଲେ ଗାଁ ଆଖପାଖ ଖଜୁରୀ ଗଛରେ ବସାଇଥିବା ମାଟି କଳସୀରୁ ଖଜୁରୀ ରସ ସଂଗ୍ରହ କରି ସେ ବିକ୍ରୟ କରୁଥିବା ବେଳେ ପତ୍ରରୁ ଘର ଓହଳା ଛାଞ୍ଚୁଣୀ ମଧ୍ୟ ତିଆରି କରିଥାନ୍ତି । ଏହାଛଡା ଖରାଦିନେ ତାଳ ଗଛରୁ ସଜ କାଟି ବିକ୍ରି କରିବା ସହ ପତ୍ରରୁ ଆସନ ତିଆରି କରିବା ବଳରାମଙ୍କ କୌଳିକ ବୃତ୍ତି ଅଟେ। ସେ ୧୮ବର୍ଷ ହେବ ଏହି ବୃତ୍ତିକୁ ଆପଣାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତ ନିର୍ବାଚନରେ ଲୋକଙ୍କ ଅକୁଣ୍ଠ ସହଯୋଗ ଯୋଗୁ ତାଙ୍କ ସ୍ତ୍ରୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଅନ୍ୟ ନେତାଙ୍କ ଭଳି ପ୍ରତିପତି ବଢାଇବା ପାଇଁ ତାଙ୍କର ଇଚ୍ଛା ନଥିବା ବେଳେ କୌଳିକ ବୃତ୍ତି ଆଜି ହିଁ ତାଙ୍କ ପାଇଁ ବଡ ବୋଲି କହିଛନ୍ତି ବଳରାମ । ଗତ ପାଞ୍ଚବର୍ଷ ସେ ନିଷ୍ଠାପର ଭାବେ ପଞ୍ଚାୟତ ପାଇଁ କାର୍ଯ୍ୟ କରିଥିବା ବେଳେ ତାଙ୍କୁ ନେଇ ଅଞ୍ଚଳରେ କୌଣସି ବିବାଦୀୟ ଘଟଣା ଘଟିନଥିବା ସେ କହିଛନ୍ତି । ସମୟ ଆସିଲେ ଲୋକଙ୍କ ମତ ଅନୁଯାୟୀ ସେ ପୁଣି ପ୍ରତ୍ୟକ୍ଷ ରାଜନୀତିରେ ଅଂଶ ଗ୍ରହଣ କରିବା ସହ ବୃତ୍ତି ଓ ରାଜନୀତିକୁ ଏକା ସାଙ୍ଗରେ ପରିଚାଳନା କରିବେ ବୋଲି କହିଛନ୍ତି ବଳରାମ ।


