୬ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ପାଇଁ ପ୍ରଚାର କଲେ ବିଧାୟକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ୬ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ନିର୍ମଳା ମହାନ୍ତିଙ୍କ ପାଇଁ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ପ୍ରଚାର କରିଛନ୍ତି । ଶ୍ରୀ ବେହେରା ଏକ ବିରାଟ ଶୋଭାଯାତ୍ରାରେ ବାହାରି ଏହି ଜୋନ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର, ଭରତପୁର, ଚକ୍ରୋଡ଼ା, ଭାଗବତପୁର, ଯମଧର ଓ ଗୁଲନଗର ପ୍ରଭୃତି ପଞ୍ଚାୟତରେ ଭୋଟରମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଶ୍ରୀ ବେହେରା କହିଥିଲେ ଯେ ନବୀନ ବାବୁଙ୍କ ବିକାଶମୂଳକ କାର୍ଯ୍ୟ ସମଗ୍ର ରାଜ୍ୟରେ ଯେଭଳି ଚାଲିିଛି କେନ୍ଦ୍ରାପଡ଼ାରେ ମଧ୍ୟ ଅନୁରୂପ ଭାବେ ଚାଲିଛି । ଆଗକୁ ମଧ୍ୟ କେନ୍ଦ୍ରାପଡ଼ାର ବିକାଶ ଧାରା ଜାରି ରହିବ । ନବୀନ ବାବୁ ସମଗ୍ର ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି । ସେଥିପାଇଁ ସେ ଯେଉଁ ପରିଶ୍ରମ କରିଛନ୍ତି ତାହାକୁ ପାଥେୟ କରି ଜିଲ୍ଲା ସ୍ତରୀୟ ଓ ଜୋନ ସ୍ତରୀୟ ନେତାମାନେ ଲୋକମାନଙ୍କ ସେବା କରିବାକୁ ଆଗେଇ ଆସିଛନ୍ତି । ନିର୍ମଳା ମହାନ୍ତିଙ୍କୁ ଜିତାଇବା ପାଇଁ ବିଧାୟକ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ୬ନମ୍ବର ଜୋନ ପ୍ରାର୍ଥୀ ନିର୍ମଳା ମହାନ୍ତି ଗଣମାଧ୍ୟମକୁ କହିଥିଲେ ମୋ ସ୍ୱାମୀ ପ୍ରଦୀପ୍ତ କୁମାର ମହାନ୍ତି ପୂର୍ବରୁ କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷ ଥିଲେ । ଏଥିସହ ମୁଁ ମଧ୍ୟ କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷା ଥିଲି । ଲୋକମାନେ ଆମକୁ ଦୁଇ ଦୁଇ ଥର ସେବା କରିବାର ସୁଯୋଗ ଦେଇଥିଲେ । ତେଣୁ ମୁଁ ଜନତାଙ୍କ ପାଖରେ ଋଣି । ପୁଣିଥରେ ଭୋଟରମାନେ ମୋତେ ବହୁମତ ପ୍ରଦାନ କରିବେ ବୋଲି ମୋର ବିଶ୍ୱାସ ରହିଛି । ଏହି ଶୋଭାଯାତ୍ରା ରାମମନ୍ଦିରରୁ ବାହାରି ଦୁହୁରିଆରେ ଶେଷ ହୋଇଥିବା ବେଳେ ବାଲିଆ ବଜାରେ ଏକ ସଭା ହୋଇଥିଲା । ଏହି ଶୋଭାଯାତ୍ରାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ରବି ସାମଲ, ୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତ୍ସ୍ନାରାଣୀ ଜେନା, ପୂର୍ବତ ନଗରପାଳ ଧୀରେନ ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଆଇନ୍ଜୀବୀ ଦେବଦାସ ମହାନ୍ତି, ସୁମିତ୍ରା ପାଢୀ, ସ୍ୱୟଂପ୍ରଭା କର, ସେକ. ଲିଆକତ ଅଲ୍ଲୀ ପ୍ରମୁଖ ଶତାଧିକ ନେତା ଓ କର୍ମୀ ସାମିଲ ହୋଇ ନବୀନ ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।


