କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ ଓ ପୁନର୍ବାସ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନେତୃତ୍ୱରେ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଆଜି ଅପରାହ୍ନ ୪ଟା ସୁଦ୍ଧା, ଜିଲ୍ଲାର ୯ଟି ବ୍ଲକ୍‌-ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ, ମହାକାଳପଡ଼ା ଓ ଡେରାବିଶର ୮୫ଟି ଗ୍ରାମପଞ୍ଚାୟତ ଏବଂ ୧୬୯ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି।ମୋଟ ୭୩,୧୬୩ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ୧,୨୪୯ ଜଣଙ୍କୁ ସୁରକ୍ଷିତ ଭାବେ ୬ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ୮୪୯ ଜଣ ଏହି ଆଶ୍ରୟସ୍ଥଳ ଗୁଡ଼ିକରେ ଅବସ୍ଥାନ କରୁଛନ୍ତି। ସମସ୍ତ ଆଶ୍ରୟସ୍ଥଳରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ୬ଟି ମାଗଣା ରୋଷେଇ କେନ୍ଦ୍ର ନିରନ୍ତର କାର୍ଯ୍ୟକ୍ଷମ ରହିଛି।ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଏପର୍ଯ୍ୟନ୍ତ ୮୦.୭୫ କ୍ୱିଣ୍ଟାଲ ଚାଉଳ, ୮.୦୩ କ୍ୟୁଣ୍ଟାଲ ଚୁଡ଼ା ଓ ୭ କ୍ୱିଣ୍ଟାଲ ଗୁଡ଼/ଚିନି ବଣ୍ଟନ କରାଯାଇଛି। ଏହା ସହିତ ବିସ୍କୁଟ, ମହମବତୀ, ଦିଆସିଲି ଏବଂ ୨,୦୦୦ ବୋତଲ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଆଜି ଗୋଟିଏ ଦିନରେ ୬୩ କ୍ୱିଣ୍ଟାଲ ଚାଉଳ, ୬.୫୩ କ୍ୱିଣ୍ଟାଲ ଚୁଡ଼ା ଓ ୨ କ୍ୱିଣ୍ଟାଲ ଗୁଡ଼/ଚିନି ବଣ୍ଟନ କରାଯାଇଛି।ସ୍ୱାସ୍ଥ୍ୟସେବାକୁ ସୁଚାରୁ ରଖିବା ପାଇଁ ୧୨ଟି ମେଡିକାଲ ଟିମ୍ ଏବଂ ପଶୁଧନର ଚିକିତ୍ସା ଓ ସୁରକ୍ଷା ପାଇଁ ୯ଟି ପଶୁ ଚିକିତ୍ସା ଟିମ୍ ନିୟୋଜିତ କରାଯାଇଛି। ୫୩,୫୫୪ଟି ପଶୁଧନ ପ୍ରଭାବିତ ହୋଇଥିଲେ ମଧ୍ୟ କୌଣସି ପଶୁହାନି ହୋଇନାହିଁ।ବନ୍ୟାରେ କୌଣସି ଜନହାନି ହୋଇନାହିଁ। ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ କିମ୍ବା ଅନ୍ୟ କୌଣସି ପ୍ରମୁଖ ଭତ୍ତିଭୂମିର କ୍ଷତି ହୋଇନାହିଁ। ତେବେ ୬୬ଟି ରାସ୍ତା ବନ୍ୟାଜଳରେ ବୁଡ଼ି ଯାଇ ଯାତାୟାତ ବିଚ୍ଛିନ୍ନ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ୯୪ଟି ଗୃହ ଓ ସଂରଚନା କ୍ଷତିଗ୍ରସ୍ତ ହୋଇଛି, ସେଥିମଧ୍ୟରୁ ୮୯ଟି ଗୁହାଳ ଏବଂ ୫ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜଳ ହ୍ରାସ ପାଇବା ପରେ ଫସଲ କ୍ଷତିର ସଠିକ୍ ଆକଳନ କରାଯିବ।ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୩ଟି ଏସ୍‌ଆସି ପାୱାର ବୋଟ୍‌, ୭୨ଟି ଦେଶୀ ଡଙ୍ଗା ଏବଂ ୧୫ଟି ଯନ୍ତ୍ରଚାଳିତ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି।ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ସହ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ସେମାନେ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରି ରିଲିଫ ବ୍ୟବସ୍ଥା ତଦାରଖ କରିବା ସହିତ ପ୍ରତ୍ୟେକ ପ୍ରଭାବିତ ବ୍ୟକ୍ତିଙ୍କ ନିକଟରେ ଠିକ୍ ସମୟରେ ସହାୟତା ପହଞ୍ଚାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳ ଓ ବନ୍ୟାପ୍ରବଣ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବା, ପ୍ରଶାସନର ପରାମର୍ଶ ପାଳନ କରିବା ଏବଂ ଅନାବଶ୍ୟକ ଭାବେ ବନ୍ୟାଜଳକୁ ପ୍ରବେଶ ନ କରିବାକୁ ଅନୁରୋଧ କରାଯାଇଛି। ସମଗ୍ର ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିଥିବାବେଳେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ସଜାଗ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ