ମାଦକଦ୍ରବ୍ୟ ନିଷିଦ୍ଧ ପାଇଁ ଉଠିଲା ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପାଖେଇ ଆସୁଛି ଜାଗର ଯାତ୍ରା । ଏ ନେଇ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ଓ ସାନ୍ନିଧ୍ୟ ଲାଭ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଜାଗର ସମୟରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ, ସାଧୁ, ସନ୍ନ୍ୟାସୀମାନଙ୍କ ସମାଗମ ହୋଇଥାଏ । ଠାକୁରଙ୍କ ନିକଟରେ ଭୋଗ କରିବା ହେଉ କି ଦୀପ ଜାଳିବା ହେଉ ଅନେକ ଭକ୍ତ ମନ୍ଦିର ଭିତରକୁ ପଲିଥିନ୍, ପ୍ଲାଷ୍ଟିକ ଦ୍ରବ୍ୟ ଇତ୍ୟାଦି ଭୋଗ ସାଥିରେ ନେଇ ଆସିଥାନ୍ତି । ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ମନ୍ଦିର ବେଢା ଭିତରେ ଏଣେ ତେଣେ ଫୋପାଡ଼ି ଚାଲି ଯାଇଥାନ୍ତି । ଯଦ୍ୱାରା ଐତିହ୍ୟ, କୀର୍ତ୍ତିରାଜି ମଣ୍ଡିତ ମନ୍ଦିରର ପରିବେଶ ଓ ସୌନ୍ଦର୍ଯ୍ୟ ବିଗିଡ଼ି ଯାଇଥାଏ । ପରବର୍ତ୍ତୀ ସମୟରେ ଯେତେବେଳେ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସଫେଇ ହୁଏ ସେଗୁଡ଼ିକ ମନ୍ଦିର ବାହାରେ ଆଣି ଗଦାଇଥାନ୍ତି । ବାହାରେ ଏଣେ ତେଣେ ବୁଲୁଥିବା ବୁଲା ଗୋରୁ, ଗାଈ, ଷଣ୍ଢ ଇତ୍ୟାଦି ଜୀବ ଏଗୁଡ଼ିକୁ ଖାଇ ମୃତ୍ୟୁବରଣ କରିଥାନ୍ତି । ଏତଦ୍ସହ କିଛି ଅସାମାଜିକ ବ୍ୟକ୍ତି ମନ୍ଦିର ଭିତରେ ପାନ, ଗୁଟ୍ଖା, ବିଡ଼ି, ସିଗାରେଟ୍, ଗଞ୍ଜେଇ ଏବଂ ମଦ ପରି ମାଦକ ଦ୍ରବ୍ୟକୁ ବ୍ୟବହାର କରିଥାନ୍ତି । ଯାହ ମନ୍ଦିର ସଫେଇ ସମୟରେ ନଜରକୁ ଆସିଥାଏ । ଏଣୁ ଏ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ସହ ସମ୍ପୂର୍ଣ୍ଣ ରୂପେ ମାଦକଦ୍ରବ୍ୟ ନିଷିଦ୍ଧ ପାଇଁ କଟକଣା ଜାରି ହେଉ ବୋଲି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଏ ନେଇ ଶ୍ରୀ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଥିବା ଜଣାପଡ଼ିଛି ।


