୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-୨୦୧୮ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘର ଏକ ରାଜ୍ୟସ୍ତରୀୟ ବୈଠକ ରାଜ୍ୟ ସଭାପତି ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତିଙ୍କ ସଭାପିତ୍ୱରେ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ହେବା ସହ ୨୦୧୮ ଅନୁଦାନ ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ତୁରନ୍ତ ସପ୍ତମ ବେତନ ଲାଗୁ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି । ୨୦୧୭ ମସିହାରେ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ସମୟରେ ତ୍ରୁଟିପୂର୍ଣ୍ଣ ଭାବେ ବଂଚିତ ହୋଇଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ୨୦୧୮ ମସିହାରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଅନୁଦାନ ନିର୍ଦ୍ଦେଶନାମା ଘୋଷଣା କରିଥିଲେ ଏବଂ ସେଥିରେ ଉଲ୍ଲେଖ ଥିଲା ଯେ, ୨୦୧୭ ଅନୁଦାନ ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ଯେତେବେଳେ ଦରମା ବୃଦ୍ଧି ନିଷ୍ପତ୍ତି ନିଆଯିବ ହେବ ତାହା ଅନୁପାତିକ ହାରରେ ୨୦୧୮ ଅନୁଦାନପ୍ରାପ୍ତ ବର୍ଗ ପାଇଁ ଲାଗୁ ହେବ । କିନ୍ତୁ ପରିତାପର ବିଷୟ ଏହିକି ଯେ, ବହୁ ଆନ୍ଦୋଳନ ଓ ଆଲୋଚନା ପରେ ରାଜ୍ୟ ସରକାର କ୍ୟାବିନେଟରେ ତା ୩୧.୧୨.୨୦୨୧ରିଖ ଦିନ ଏକ ନିଷ୍ପତ୍ତି ନେଲେ । ସେହିଦିନ ପର୍ଯ୍ୟନ୍ତ ଶତ ପ୍ରତିଶତ ଦରମା ପାଉଥିବା ଅଧ୍ୟାପକ ଓ କର୍ମଚାରୀମାନେ ସପ୍ତମ ବେତନ ପାଇବେ ବୋଲି ନିଷ୍ପତ୍ତି ନିଆଗଲା । ଦୁର୍ଭାଗ୍ୟବଶତଃ ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନେ ୧.୧.୨୦୨୨ରିଖରେ ଶତ ପ୍ରତିଶତ ଦରମା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ସୁଦ୍ଧା ୬ ଘଣ୍ଟା ଅନ୍ତର ପାଇଁ ସପ୍ତମ ବେତନ ପାଇବାରୁ ବଂଚିତ ହୋଇଛନ୍ତି । ଆଜିର ବୈଠକରେ ସମଗ୍ର ରାଜ୍ୟରୁ ଯୋଗ ଦେଇଥିବା ଅଧ୍ୟାପକ ଓ କର୍ମଚାରୀ ପ୍ରତିନିଧିମାନେ ସରକାର ତୁରନ୍ତ ତ୍ରୁଟିପୂର୍ଣ୍ଣ ସପ୍ତମ ବେତନ ଘୋଷଣା ସଂଶୋଧନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଅତୀତରେ ୪୦, ୬୦, ୭୫ ପ୍ରତିଶତ ଭଳି ଦୁଃଖଦପୂର୍ଣ୍ଣ ଦରମା ପାଇ ଆସିଥିବା ବେଳେ ଏହିବର୍ଗଙ୍କ ପାଇଁ ସରକାରଙ୍କ ନିଷ୍ପତ୍ତି ଏକ ନିରାଶାର ବାତାବରଣ ସୃଷ୍ଟି କରିଛି । ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ଶାସନ ସଚିବଙ୍କୁ ଦାବି ସମ୍ବନ୍ଧରେ ଅବଗତ କରିବା ସହିତ ନ୍ୟାର୍ଯ୍ୟଦାବି ପୂରଣ ପାଇ ନିବେଦନ କରାଯାଇଛି । ସଂଘ ତରଫରୁ ଭବିଷ୍ୟତରେ ସରକାରଙ୍କ ସହିତ ସମସ୍ତ ଆଲୋଚନାରେ ୨୦୧୮ବର୍ଗର ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ସଞ୍ଜିବ କୁମାର ରାଉତ, ଉପସଭାପତି ଅନିଲ ଦେବତା, ପ୍ରଭାତ ରଞ୍ଜନ ଦାସ, ଦୈତାରୀ ପୂଜାରୀ, ମାନସ ପଣ୍ଡା, ସୁରେଶ ମାଣ୍ଡୋଇ, ଜ୍ୟୋତିପ୍ରକାଶ ରାଉତ, ମାନସ କୁମାର ନାୟକ, ସୁଜାତା ମିଶ୍ର ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଦାବି ହାସଲ କରିବା ପାଇଁ ସରକାରଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି କରାଯାଇଛି ।


