ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ଖଣି ଏବଂ ଶିଳ୍ପ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଖଣି ସମୃଦ୍ଧ ରାଜ୍ୟମାନଙ୍କରେ ରହିଥିବା ସମ୍ଭାବନା ଉପରେ ବିଚାରବିମର୍ଶ କରାଯାଇଛି । ବିଶେଷ କରି ଖଣି ଲିଜ୍, ପରିବେଶ ମଞ୍ଜୁରି ଏବଂ ବର୍ତ୍ତମାନର ଏବଂ ନୂଆ ଖଣି ପ୍ରକଳ୍ପ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି । ଏହି ସମ୍ମିଳନୀକୁ ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଉଦଘାଟନ କରିଥିବା ବେଳେ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମଧ୍ୟପ୍ରଦେଶ ଶିଳ୍ପ ଓ ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ରାଜବର୍ଦ୍ଧନ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହାବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଇସ୍ପାତ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଧ୍ୟକ୍ଷମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ଖଣି, ବିଶେଷ କରି ଇସ୍ପାତ କ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା ଏବଂ ଏହା ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା ଯାହାକୁ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସ୍ୱାଗତ କରିଥିଲେ। ଖଣିଜ ଦ୍ରବ୍ୟ ଉତ୍ତୋଳନ ଏବଂ ଇସ୍ପାତ ଉତ୍ପାଦନ ପ୍ରସଙ୍ଗ ଉପସ୍ଥାପନ କରି ଇସ୍ପାତ ମନ୍ତ୍ରଣାଳୟ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ନୀତିଗତ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । କାରବାରକୁ ଆଗକୁ ବଢ଼ାଇବା ଲାଗି ରାଜ୍ୟ ସରକାରମାନଙ୍କ ଠାରୁ ଆବଶ୍ୟକ ସହାୟତା ସମ୍ପର୍କରେ ମଧ୍ୟ ସେମାନେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟମାନେ ସେମାନଙ୍କ ମତ ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ଏବଂ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ଲାଗି ସେମାନେ ଆଗ୍ରହୀ ଥିବା ପ୍ରକାଶ କରିଥିଲେ। କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏହି ଅବସରରେ ‘ବର୍ଜ୍ୟରୁ ସମ୍ପଦ ସୃଷ୍ଟି’ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଇସ୍ପାତ ଉତ୍ପାଦନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାର ପାଇଁ ରହିଥିବା ସୁଯୋଗକୁ ସନ୍ଧାନ କରିବା ଲାଗି ବିଭିନ୍ନ କମ୍ପାନୀ ଗବେଷଣା କରୁଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରଭାବୀ ଥଇଥାନ ଏବଂ ପୁନର୍ବାସ ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଯେଉଁ କମ୍ପାନୀମାନେ ସକାରାତ୍ମକ ଭାବେ ସାମାଜିକ ପୁଞ୍ଜିର ଲାଭ ଉଠାଇବାକୁ ସକ୍ଷମ ଏବଂ ସ୍ଥାନୀୟ ଲୋକଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି ସେମାନେ ଦୀର୍ଘକାଳୀନ ଭିତ୍ତିରେ ଅଧିକ ଲାଭ ପାଇଥାନ୍ତି। ଅନୁରୂପ ଭାବେ, ଏହି କ୍ଷେତ୍ରରେ ସମସ୍ତ ଅଂଶୀଦାରମାନଙ୍କୁ ସମାନ ସୁବିଧାସୁଯୋଗ ମିଳିପାରିଲେ ଭାରତ ଏହି କ୍ଷେତ୍ରରେ ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ହେଲେ ଦ୍ବିତୀୟକ ଇସ୍ପାତ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏକ ନୀତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସମ୍ମିଳନୀରେ ପ୍ରାୟ ୫ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସମସ୍ତ ପକ୍ଷ ସେମାନଙ୍କର ମତାମତ ଦେଇଥିଲେ ଏବଂ ଆଲୋଚନାରେ ଉପସ୍ଥାପନ ହୋଇଥିବା ବିଷୟବସ୍ତୁ ପ୍ରତି ଧ୍ୟାନ ଦିଆଯିବା ତଥା ସମସ୍ୟାର ଆବଶ୍ୟକ ସମାଧାନ ଉପରେ ସେମାନେ ଜୋର ଦେଇଥିଲେ। ଏହି ଆଲୋଚନାକୁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ସ୍ୱାଗତ କରିଥିଲେ । ଆଲୋଚନା ଅବସରରେ ମଧ୍ୟପ୍ରଦେଶ ସରକାରଙ୍କ ଶିଳ୍ପ ଏବଂ ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ରାଜବର୍ଦ୍ଧନ ସିଂ ତାଙ୍କ ସରକାର ନିବେଶ ପାଇଁ ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଶିଳ୍ପ ବିକାଶ ପାଇଁ ମଧ୍ୟପ୍ରଦେଶ ନିକଟରେ ଯଥେଷ୍ଟ ଜମି, କଞ୍ଚା ମାଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ରହିଛି। ମଧ୍ୟପ୍ରଦେଶ ସରକାର ରାଜ୍ୟରେ ନିବେଶ ପାଇଁ ସଠିକ ଇକୋସିଷ୍ଟମର ବ୍ୟବସ୍ଥା କରିଥିବା ସିଂ କହିଥିଲେ। କୋଣାର୍କରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ରାଜ୍ୟରେ ଖଣିଜ ଉତ୍ତୋଳନ ପାଇଁ ପୂର୍ବରୁ ଅନୁକୂଳ ପରିବେଶ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ