ଦେବାଶିଷ ସେଠୀଙ୍କ ସ୍ମୃତିରେ ଚକ୍ଷୁ ପରୀକ୍ଷା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହରର ଦିବଂଗତ ଯୁବ ସମାଜସେବୀ ଦେବାଶିଷ ସେଠୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଚିହ୍ନଟ ଶିବିର ସହରର ଦାମୋଦରପୁରସ୍ଥିତ ବିଶ୍ୱକର୍ମା ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଦେବାଶିଷ ସେଠୀ ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ସମାଜସେବା କ୍ଷେତ୍ରରେ ସ୍ୱର୍ଗତ ଦେବାଶିଷ ସେଠୀଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଯୁବନେତା ବିକ୍ରମ ପଣ୍ଡା, ପୂର୍ବତନ କାଉନସିଲର ମୀନା ମହାନ୍ତି ଓ ରଞ୍ଜିତା ମହାପାତ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେବାଶିଷଙ୍କ ଅବର୍ତ୍ତମାନ ବାଲେଶ୍ୱରର ସମାଜସେବା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି କହିଥିଲେ । ସ୍ମୃତି କମିଟିର ସଭାପତି ତଥା ସ୍ୱର୍ଗତ ସେଠୀଙ୍କ ଧର୍ମପତ୍ନୀ ମିନତୀ ସେଠୀ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସ୍ମୃତି କମିଟିର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଶିକ୍ଷକ ଲମ୍ବୋଦର ପ୍ରଧାନ, ସୁକାନ୍ତ ସେଠୀ, ଆଲୋକ ଦାସ, ଅନିନ୍ଦ୍ୟ ପଣ୍ଡା ପ୍ରମୁଖ ଏଥିରେ ଯୋଗ ଦେଇ ସ୍ମୃତି କମିଟି ପକ୍ଷରୁ ଆଗାମୀ ଦିନରେ ଏହି ଭଳି ସମାଜସେବା ମୂଳକ କାର୍ଯ୍ୟ ଜାରି ରହିବ ବୋଲି କହିଥିଲେ । ଶ୍ରୀରାମ ହସପିଟାଲର ଚକ୍ଷୁ ବିଶେଷଜ୍ଞମାନେ ଏହି ଶିବିରରେ ଲୋକଙ୍କ ଚକ୍ଷୁ ପରୀକ୍ଷା ସହ ୯୦ରୁ ଉର୍ଦ୍ଧ୍ୱ ମୋତିଆବିନ୍ଦୁ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ମଦନ ମୋହନ ବେହେରା, ହରେନ ଚନ୍ଦ୍ର ରଣା, ଶିଶିର କୁମାର ବେହେରା, ଲଳିତା ତାଲଦି, ନିଶାମଣି ପ୍ରଧାନ, ଝୁନୁରାଣୀ ବାରିକ, କବିତା ଦାସ, ରୀନାରାଣୀ ଦାସ, କଳ୍ପନା ଦାସ ପ୍ରମୁ୍ଖ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।