ଅବସରପ୍ରାପ୍ତ କର୍ମଚାରୀ ସଂଘ ରଜତ ଜୟନ୍ତୀ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :-ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ରଜତ ଜୟନ୍ତୀ ଉତ୍ସବ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଧୀରେନ୍ଦ୍ର ନାରାୟଣ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଚାକିରିରୁ ଅବସର ନେଇ ମଧ୍ୟ ସେମାନଙ୍କ ଦୀର୍ଘ ଅଭିଜ୍ଞତା ହିଁ ସୁସ୍ଥ ସମାଜଗଠନର ସହାୟକ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ପ୍ରଫେସର ଡ. ଦେବାଶିଷ ପାତ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀମାନେ କର୍ମଚଞ୍ଚଳ ଥାଇ ସାମାଜିକ ପରିବର୍ତ୍ତନରେ ସାମିଲ ହୋଇ ସମସ୍ତଙ୍କୁୁ ଦିଗଦର୍ଶନ ଦେବା ଉଚିତ ବୋଲି କହିଥିଲେ ।ଏହି ଅବସରରେ ଅତିଥିମାନେ ସଂଘର ମୁଖପତ୍ର ‘ଉତ୍ତରାୟଣ’ ଓ ଗୌରାଙ୍ଗ ଚନ୍ଦ୍ର ଭୂୟାଁଙ୍କ ଲିଖିତ ପୁସ୍ତକ ‘ପାହିଲା ରାତି, ସରିଲାନି କଥା’ ଉନ୍ମୋଚନ କରିଥିଲେ । କୃଷି ବୈଜ୍ଞାନିକ ଡ. ଅଦୈତ୍ୟ କୁମାର ପାତ୍ର, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ସଂଘର ସଭାପତି ତଥା ପ୍ରତିଷ୍ଠାତା ସଭ୍ୟ ଧୀରେନ୍ଦ୍ର ନାରାୟଣ ଦାସ, ମଦନମୋହନ ପଣ୍ଡା, ଚିତ୍ତରଂଜନ ଦାସ, ଅନ୍ତର୍ଯ୍ୟାମୀ ପାତ୍ର, ସେଖ ଆଲାଉଦ୍ଦିନ, ଭବେଶ ଚନ୍ଦ୍ର ପଣ୍ଡା ଓ ଲମ୍ବୋଦର ରଥଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଗତ ୨୦୨୦ ଏବଂ ୨୦୨୧ ବର୍ଷରେ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଇଞ୍ଜିନିୟରିଂ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୩୪ଜଣ ଛାତ୍ରଛାତ୍ରୀଙ୍କୁ ସଂଘ ପକ୍ଷରୁ ଅର୍ଥରାଶି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଂଗଠନର ସାଧାରଣ ସମ୍ପାଦକ ଇଂ. ବନମାଳି ନାୟକ ବିବରଣୀ ପାଠ କରିଥିବା ବେଳେ ଡ. କ୍ଷିତିଶ୍ୱର ଦାଶ ବେଦପାଠ କରିଥିଲେ । ପ୍ରତିମା ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପୁଷ୍ପଲତା ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳ ୯ଟା ବେଳେ ପ୍ରତିନିଧି ଅଧିବେଶନରେ ଜିଲାର ୧୩ଟି ଶାଖାକମିଟିର କର୍ମକର୍ତ୍ତାମାନେ ଯୋଗଦେଇ ଦିବଂଗତ ସଭ୍ୟମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ । ଏହା ବ୍ୟତୀତ କେତେକ ସଭ୍ୟଙ୍କର ପେନ୍‌ସନ୍ ଜନିତ ସମସ୍ୟା, ସ୍ୱାସ୍ଥ୍ୟସେବା ଭତ୍ତା ପ୍ରଭୃତି ସମସ୍ୟା ଉପରେ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଂଘର ସମ୍ବିଧାନରେ ଆବଶ୍ୟକୀୟ ସଂଶୋଧନ ଗୃହୀତ ହେବାପରେ ନିର୍ବାଚନ ଅଧିକାରୀ ଡ. ମନ୍ମଥ କୁମାର ପ୍ରଧାନ ନିର୍ବାଚନ ପରିଚାଳନା କରି କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ସଂଗଠନର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ବର୍ଷିୟାନ ସଦସ୍ୟ ନବକିଶୋର ଦାସ ଶପଥପାଠ କରାଇଥିଲେ ଓ ଅରୁଣା ରାୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ