ସାବତ ମା ବାପା ଶିଶୁକନ୍ୟାକୁ ହତ୍ୟା ଅଭିଯୋଗରେ ଥାନାରେ ଏତଲା : ସ୍ଵାମୀ ସ୍ତ୍ରୀ ଅଟକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନଂ ୱାର୍ଡ ତେନ୍ତୁଳିଆ ସାହିରେ ଏକ ୬ ବର୍ଷର ଶିଶୁକନ୍ୟାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସୋମବାର ସକାଳୁ ଦିଗପହଣ୍ଡି ପୋଲିସ ଖବର ପାଇ ମୃତଦେହ ଜବତ କରିଥିବା ବେଳେ ଶିଶୁକନ୍ୟାର ବାପା ଏ. ଦିବାକର ଓ ସାବତ ମାଆ ଏ . ତଅପେଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଖବର ପ୍ରକାରେ, ଦିଗପହଣ୍ଡି ଥାନା ଅଞ୍ଚଳରେ ବାସ କରୁଥିବା ଦିବାକର ୭ ବର୍ଷ ପୂର୍ବେ ଆଠଗୁଡିଆ ସାହିର କେ. ଭୀମଙ୍କ ଝିଅ କେ . ଶଶିଙ୍କୁ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ଏ . ତପସ୍ୟା ନାମକ ଶିଶୁକନ୍ୟା ଜନ୍ମ ହୋଇଥଲା । ତେବେ ପ୍ରଥମ ସ୍ତ୍ରୀ ୩ ବର୍ଷ ତଳେ ସ୍ତ୍ରୀ ଶଶି ଯକ୍ଷ୍ମା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ଯାହାଫଳରେ ଏକ ବର୍ଷର ଶିଶୁକନ୍ୟାକୁ ନେଇ ଦିବାକର ଅଜାଘରେ ଛାଡି ଦେଇଥିଲେ । ପରବର୍ତ୍ତୀ ସମୟରେ ଦିବାକର କୁକୁଡାଖଣ୍ଡି ଗ୍ରାମର ଏସ୍ . ତଅପେଇଙ୍କୁ ୬ ମାସ ତଳେ ବିବାହ କରିଥିଲେ । ତେବେ ୧୫ ଦିନ ହେବ ଦିବାକର ଓ ତଅପେଇ ଦିଗପହଣ୍ଡି ତେନ୍ତୁଳିଆ ସାହିରେ ଏକ ଭଡାଘରେ ରହୁଥିଲେ । ଏହି ସମୟରେ ଅଜା ନାତୁଣୀକୁ ଆଣି ଦିବାକର ପାଖରେ ଛାଡି ଦେଇଥିଲେ । ଗତକାଲି ରାତିରେ ଶିଶୁକନ୍ୟାଟିକୁ ଉଭୟ ସାବତ ମାଆ ଓ ବାପା ମିଶି ହତ୍ୟା କରିଥିବା ବେଳେ ଘଟଣାକୁ ଲୁଚାଇବା ପାଇଁ ଦିବାକର ନିଜ ସାନଭାଇ ଏ . ସେନେୟା ପାଖକୁ ଯାଇ ଝିଆରି ମରି ଯାଇଥିବା ଖବର ଦେଇଥିଲା । ତେବେ ସେନେୟାର ମନରେ ସନ୍ଦେହ ସୃଷ୍ଟି ହେବାରୁ ଶିଶୁକନ୍ୟାର ଅଜା ଓ ମାଉସୀଙ୍କୁ ଖବର ଦେଇଥିଲେ । ଅଜା ଭୀମ ଘଟଣାସ୍ଥଳରେ ପହଞ୍ଚି ନାତୁଣୀର ମାରି ଦେଇଥିବା ଖବର ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତିକରି ଥାନା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ମଧ୍ୟାହ୍ନରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛି ।


