ମହାଶିବରାତ୍ରିରେ ସବୁଜ ସଂକଳ୍ପ : ବେଲ ପତ୍ରରେ ସତ୍ୟଂ-ଶିବଂ-ସୁନ୍ଦରଂ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ପବିତ୍ର ମହାଶିବରାତ୍ରି । ଏକାମ୍ରକ୍ଷେତ୍ର ଉତ୍ସବମୁଖର ଓ ଚଳଚଞ୍ଚଳ । ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ରଙ୍ଗ, ବେରଙ୍ଗ ମୁରୁଜରେ ବେଲପତ୍ରରେ ସତ୍ୟ-ଶିବ-ସୁନ୍ଦରଙ୍କୁ ସ୍ଥାପନ କରି ନିଜେ ଆରାଧନା କରିବା ସହ ଜନସଚେତନତା ଉଦ୍ଦେଶ୍ୟରେ ଏକ ସବୁଜ ସଂକଳ୍ପର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ମହାପ୍ରଭୁ ଶିବଙ୍କ ପ୍ରିୟ ହେଉଛି ବେଲପତ୍ର । ସମ୍ପ୍ରତି ଏହି ଔଷଧୀୟ ଗୁଣକାରୀ ବୃକ୍ଷର ଅଭାବ ଏବେଠୁ ଦେଖାଦେଲାଣି । ଏପରିକି ପୂଜା ପାଇଁ ବି ବହୁକଷ୍ଟରେ ପତ୍ରଟିଏ ମିଳୁଛି । ବାଡ଼ି, ବଗିଚାରେ ବି ଖୋଜିଲେ ମିଳୁନି । ଆଜିର ଏହି ପବିତ୍ର ଦିବସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ପ୍ରତିଟି ଭକ୍ତ ଓ ଶ୍ରଦ୍ଧାଳୁ ନିଜ ବାଡ଼ି, ବଗିଚା ହେଉ କି ସର୍ବସାଧାରଣ ସ୍ଥାନ ହେଉ ଗୋଟିଏ ବେଲ ଗଛ ଲଗାଇବା ପାଇଁ ସଂକଳ୍ପ ନିଅନ୍ତୁ ଏବଂ ପ୍ରକୃତିକୁ ଭଲ ପାଇବାର ଭାବନା ପ୍ରଦର୍ଶିତ କରନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି ।


