ଦୁଇଖଣ୍ଡରେ ପୁନଃ ଭୋଟ ଗଣତି ଦାବି
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ଗତକାଲି ହେଉଥିବା ଭୋଟ ଗଣତିରେ ଜଣେ ସମିତିସଭ୍ୟ ପ୍ରାର୍ଥୀ ୨ଖଣ୍ଡ ଭୋଟରେ ବିଜୟୀ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଗୋଟିଏ ଭୋଟରେ ପରାଜିତ ହେବା ଆଲୋଚନାର ବିଷୟ ପାଲଟିଛି । ଏନେଇ ପରାଜିତ ପ୍ରାର୍ଥୀ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ପୁନଃ ଭୋଟଗଣତି ପାଇଁ ଦାବି କରିଛନ୍ତି । ବଡରମ୍ପାସ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ରାମଚନ୍ଦ୍ର ଜେନା କରିଥିବା ଅଭିଯୋଗ ଅନୁଯାଇ ସେ ଗତକାଲି ଭୋଟଗଣତି ସମୟରେ ୧୧୬୧ଖଣ୍ଡ ଭୋଟ ପାଇ ଖଣ୍ଡିଏ ଭୋଟରେ ବିଜୟୀ ହୋଇଥିଲେ । କେବଳ ଅପେକ୍ଷା କରିଥିଲେ ସରକାରୀ ଘୋଷଣାକୁ । କିନ୍ତୁ ଏହି ସମୟରେ ପରାଜିତ ପ୍ରାର୍ଥୀ ବାବନ ଚରଣ ସେଠୀ ପୁନଃ ଭୋଟଗଣତି ପାଇଁ ଆବେଦନ କରିବାପରେ ନିର୍ବାଚନ ଅଧିକାରୀ ୩ଟି ୱାର୍ଡର ଭୋଟକୁ ଗଣତି କରିଥିଲେ । ଯାହାଦ୍ୱାରାକି ତାଙ୍କର ତିନିଖଣ୍ଡ ଭୋଟ ରିଜେକ୍ଟ କରାଇ ଦେଇଥିଲେ । ଫଳରେ ସେ ଖଣ୍ଡିଏ ଭୋଟରେ ପରାସ୍ତ ହୋଇଥିଲେ । ଏନେଇ ସେ ମଧ୍ୟ ସମସ୍ତ ୧୫ଟି ୱାର୍ଡର ଭୋଟର ଗଣତି ପାଇଁ ଦାବି କରିଥିଲେ ବି ନିର୍ବାଚନ ଅଧିକାରୀ ତାହାକୁ ଶୁଣି ନଥିଲେ । ସେ ଏନେଇ ଆଜି ତାଙ୍କ ସମର୍ଥକ ମାନଙ୍କ ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିଡିଓଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି କୌଣସି ପଦକ୍ଷେପ ନନିଅନ୍ତି ତେବେ ସେ ଆଇନିର ଆଶ୍ରୟ ନେବେ ବୋଲି କହିଛନ୍ତି ।