ନାମାଙ୍କନ ନ କରିବାକୁ ନେଇ ଚର୍ଚ୍ଚା : ପଟ୍ଟାମୁଣ୍ଡାଇ ପୈାରସଂସ୍ଥାରେ ୧ : କେନ୍ଦ୍ରାପଡ଼ାରେ ଶୂନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟ ନିର୍ବାଚନ ଆୟୋଗ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପାଇଁ ଚଳିତମାସ ୨ରୁ ୭ତାରିଖ ପର୍ଯ୍ୟନ୍ତ ଦିନାଙ୍କ ଘୋଷଣା କରିଥିଲେ । କିନ୍ତୁ ଗତ ୨ ତାରିଖରୁ ଆଜି ସୁଦ୍ଧା ଏହି ଆଧାରରେ ପଟ୍ଟାମୁଣ୍ଡାଇ ପୌରପାଳିକାରେ ଜଣେ ମାତ୍ର କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେ ହେଉଛନ୍ତି କଂଗ୍ରେସ ଦଳର ୧୯ନମ୍ବର କାଉନସିଲର ପ୍ରାର୍ଥୀ ସଞ୍ଜୟ କୁମାର ପଣ୍ଡା । କିନ୍ତୁ କେନ୍ଦ୍ରାପଡ଼ା ପୈାରପାଳିକାରେ ନାମାଙ୍କନ ଦାଖଲ ସଂଖ୍ୟା ଶୂନ ରହିଛି । କାରଣ ନା କଂଗ୍ରେସ, ନା ବିଜେପି ନା ବିଜେଡି ଦଳରୁ କେହି ନାମାଙ୍କନ ଦାଖଲ କରି ନାହାଁନ୍ତି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦିନରେ ବି କେନ୍ଦ୍ରାପଡ଼ା ପୌରପାଳିକାର ଜଣେ ହେଲେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାଁନ୍ତି । ଏହାର କାରଣ ହେଉଛି କଂଗ୍ରେସ ଦଳରୁ ଲକ୍ଷ୍ମୀପ୍ରିୟା ବାରିକ, ଗୋପିନାଥ ବାରିକ, ଅନ୍ନପୂର୍ଣ୍ଣା ଦାସ, ନଜମା ବେଗମ, ଉମେଶ ପାଢୀ ପ୍ରମୁଖ ଦଳୀୟ ଟିକେଟ ପାଇଁ ଆବେଦନ କରିଥିବା ବେଳେ ବିଜେପି ଦଳରୁ ମଧ୍ୟ କେତେକ ବ୍ୟକ୍ତି ଦଳୀୟ ଟିକେଟ ପାଇଁ ଆବେଦନ କରିଛନ୍ତି । କୈାଣସି ଦଳରେ ଟିକେଟ ଫାଇନାଲ ହୋଇନଥିବା ଜଣାପଡିଛି । ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ନେଇ ମନସ୍ଥ କରିଥିଲେ ବି ସେମାନେ ବିଜେଡି କେଉଁଦିନ ପ୍ରାର୍ଥୀ ତାଲିକା ଘୋଷଣା କରୁଛି ତାହାକୁ ଅପେକ୍ଷା କରିଛନ୍ତି । କିନ୍ତୁ ବିଜେଡିରୁ ଅଧିକ ଆଶାୟୀ ପ୍ରାର୍ଥୀ ଟିକେଟ ପାଇଁ ଆବେଦନ କରିଥିବାରୁ ଅଙ୍କକଷା ଛିଣ୍ଡୁ ନାହିଁ । ଫଳରେ ବିଜେଡିର ଟିକେଟ ଫାଇନାଲ ହୋଇପାରୁନଥିବା ଶୁଣିବାକୁ ମିଳିଛି ।


