ଆଗାମୀ ଦିନରେ ଆନ୍ଦୋଳନ କରାଯିବ : ଋଷିକୁଲ୍ୟା ରୟତ ମହାସଭା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଧାନ କିଣା ଅତି ଅବ୍ୟବସ୍ଥାରେ ଚାଲିଛି । ପଂଚାୟତ ଭୋଟ ପାଇଁ ଜିଲ୍ଲା ପ୍ରଶାସନ ଓ ନେତା ମାନେ ବ୍ୟସ୍ତ ରହି ଅନ୍ନଦାତା ଚାଷୀଙ୍କ କଥା ଭୁଲିଗଲେ । ଗଞ୍ଜାମ ଜିଲ୍ଲାର ୭୫ ଭାଗ ବାସିନ୍ଦା ହେଉଛନ୍ତି ଚାଷୀ । ତାଙ୍କରି ଭୋଟରେ ସରକାର ଚାଲିଛି । ତାଙ୍କରି ଟିକସ ଦିଆ ଟଙ୍କାରେ ସରକାରୀ କର୍ମଚାରୀ ମାନେ ଦରମା ପାଇ ପରିବାର ଚଳାନ୍ତି । ମାତ୍ର ଜିଲ୍ଲାର ବୃହତ୍ତର ଗୋଷ୍ଠୀ ଚାଷୀର ଦୁଃଖ ବାଣ୍ଟିବାକୁ କାହାର ଆନ୍ତରିକତା ନାହିଁ । ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବାରୁ ଧାନ ରୁଆରେ ଅଧିକ ଖର୍ଚ୍ଚାନ୍ତ ହୋଇ ପାଣି ପମ୍ପରେ ମଡାଇ ଧାନ ଚାଷ କଲେ । ପୁଣି ଧାନ ଅମଳ ସମୟରେ ପାଚିଲା ଧାନ ଥାଇ ୩ ଥର ବର୍ଷା ହେବାରୁ କିଛି ଧାନ ପଚି ନଷ୍ଟ ହେଲା । ଯାହା ବଳକା ଧାନ ଅମଳ ହେଲା ୩୦ ପ୍ରତିଶତ ଧାନ ଗମୁ ହୋଇଗଲା । ଏହି ଗମୁ ଧାନକୁ ମିଲର ନେଉନାହାନ୍ତି । ଭଲ ଧାନକୁ ମଧ୍ୟ ଗମୁ ଧାନରେ ମିଶାଇ କ୍ୱିଣ୍ଟାଲ ପିଛା ୮ ରୁ ୧୦ କେଜି ପର୍ଯ୍ୟନ୍ତ ଅଧିକା ଧାନ ନେଇ ଚାଷୀଙ୍କୁ ଠକୁଛନ୍ତି । ଏବର୍ଷ ଆନ୍ଧ୍ରକୁ ଧାନ ଯାଉନଥିବାରୁ ଗରିବ, ଭାଗଚାଷୀ ମାନେ ବହୁତ ହଇରାଣ ହେଉଛନ୍ତି । ଜିଲ୍ଲାର ଅଧିକାଂଶ ଜମି ଭାଗଚାଷୀ ମାନେ ଚାଷ କରୁଥିଲେ ସୁଦ୍ଧା ଚଳିତ ବର୍ଷ ମାତ୍ର ୪ ହଜାର ଭାଗଚାଷୀଙ୍କ ପଞ୍ଜୀକରଣ କରାଯାଉଛି । ଗତ ବର୍ଷ ୨୦ ହଜାର ଭାଗଚାଷୀଙ୍କ ପଞ୍ଜୀକୃତ ହୋଇଥିଲେ ହେଁ ଭାଗଚାଷୀଙ୍କ ଧାନ କମ ଦରରେ କିଣି ସାହୁକାର ଓ କେତୋଟି ମିଲରଙ୍କ ସହାୟତା ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ ମଣ୍ଡିରେ ଧାନ କିଣାଯାଉଛି । ଜିଲ୍ଲା ପ୍ରଶାସନ ଭାଗଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଅକ୍ଷମ, ଆନ୍ତରିକତାର ଅଭାବ ରହିଛି । ଚଳିତ ବର୍ଷର ୧ ଲକ୍ଷ ୨୨ ହଜାର ୮୦୦ ଚାଷୀଙ୍କ ଧାନ କିଣିବା ପାଇଁ ଟୋକେନ ଆସିଥିଲା । ସେଥି ମଧ୍ୟରୁ ୯୦ ହଜାର ଚାଷୀଙ୍କ ଧାନ କିଣାଯାଇଛି । ଏପର୍ଯ୍ୟନ୍ତ ୩୨ ହଜାର ଚାଷୀଙ୍କ ଧାନ କିଣାଯାଇନାହିଁ । ସେଥି ମଧ୍ୟରୁ ପ୍ରାୟ ୧୦ ହଜାର ଚାଷୀଙ୍କର ଟୋକେନର ଅବଧି ସରିଯାଇଛି । ଟାର୍ଗେଟ କମ ଥିବା ବେଳେ ମିଲର ମାନେ ଧାନ ଉଠାଉନଥିବାରୁ ପ୍ରତିଦିନ ଶହ ଶହ ଟୋକେନ ନଷ୍ଟ ହେଉଛି । ଏହାର ପ୍ରତିବାଦରେ ଋଷିକୁଲ୍ୟା ରୟତ ମହାସଭା ତରଫରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେବାରୁ ନଷ୍ଟ ଟୋକେନର ଅବଧି ବଢାଇବା ପାଇଁ ୪ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କୁ ଲିଖିତ ପ୍ରତିଶୃତି ଦେଇଥିଲେ । ମାତ୍ର ୨୦ ଦିନ ପରେ ସୁଦ୍ଧା ଜିଲ୍ଲା ପ୍ରଶାସନ ନିର୍ବାଚନ ପାଇଁ ଏତେ ବ୍ୟସ୍ତ ଯେ, ଏଯାବତ୍ ଅବଧି ଟୋକେନ ତାଲିକା ସରକରଙ୍କ ପାଖକୁ ପଠାଯାଇନାହିଁ । ଯେପରିଧାନ ବିକି ମଧ୍ୟ ୬ ହଜାର ଚାଷୀଙ୍କ ଖାତାକୁ ଟଙ୍କା ଯାଇନାହିଁ । ଖାତା ନମ୍ବର ଭୁଲ୍ ଅଛୀ ବୋଲି ସମବାୟ ଅଧିକାରୀ କହୁଛନ୍ତି । ମାତ୍ରଚାଷୀଙ୍କ ଦୁଃଖ ବୁଝିବାକୁ ସମୟ ନାହିଁ । ଟାର୍ଗେଟ ଥାଇ ସୁଦ୍ଧା ମିଲର ଧାନ ନେଉନାହାନ୍ତି । ଅଫିସର ମାନେ ହାତ ବାନ୍ଧି ବସିଛନ୍ତି, ସତେ ଯେପରି ମିଲରଙ୍କ ଦୟାରେ ଧାନ କିଣା ଚାଲିଛି । ଆସନ୍ତା ସପ୍ତାହ ମଧ୍ୟରେ ଅବଧି ସରିଯାଇଥିବା ଚାଷୀ ସମେତ ଟୋକେନ ଆସିଥିବା ସବୁ ଚାଷୀଙ୍କ ଧାନ ନ କିଣାଗଲେ ମହାସଭା ତରଫରୁ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ