ଅଞ୍ଚଳବାସୀଙ୍କ ଦାବି ପୁରଣ ହେଲା : ହେଲା ବିଦ୍ୟୁତ ସଂଯୋଗ
ହାଟଡିହି, (ବିକାଶ ବିଶ୍ୱାଳ ) : ଆଗରପଡା ଗ୍ରିଡରୁ ବିଦ୍ୟାଧରପୁର ଷ୍ଟ୍ରକଚରକୁ ବିଦ୍ୟୁତ ଯୋଗାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା । ଭଦ୍ରକ ଗେଲପୁର ଗ୍ରୀଡରୁ ବିଦ୍ୟାଧରପୁର ବିଦ୍ୟୁତ ଷ୍ଟ୍ରକଚରରୁ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ଅଧିକାଶଂ ସମୟରେ ବିଦ୍ୟୁତ ଯୋଗାଣ ବନ୍ଦ ରହୁଥିଲା । ଦୀର୍ଘ ୫୦କିଲୋମିଟର ଦୁରରୁ ବିଦ୍ୟୁତ ଯୋଗାଣ ହେଉଥିବାରୁ ସାମାନ୍ୟ ପବନ ହେଲେ କି ବର୍ଷା ହେଲେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଏ ଯେ ଦୁଇ ତିନି ଦିନ ଧରି ବିଦ୍ୟୁତ ଆସିବାର ନାଁ ଧରେନି । ବଉଳା ଖଣି ଅଞ୍ଚଳର ୯ଗୋଟି ପଞ୍ଚାୟତର ସାଧାରଣ ବିଦ୍ୟୁତ ଗ୍ରାହକ, ବିଭିନ୍ନ ଶିଳ୍ପ ସଂସ୍ଥା, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଖଣି ଅଞ୍ଚଳ ପ୍ରଭୃତିକୁ ଅନିୟମିତ ବିଦ୍ୟୁତ ଯୋଗାଣକୁ ନେଇ ଲୋକମାନେ ଅତିଷ୍ଠ ହୋଇପଡିଥିଲେ । ମାସର ଗୋଟିଏ ବି ଦିନ ଠିକ୍ ଭାବେ ବିଦ୍ୟୁତ ଯୋଗାଣ ପାଉ ନଥିବାରୁ ଏହାର ସମାଧାନ ପାଇଁ ୯ଗୋଟି ପଞ୍ଚାୟତର ଏକ ପ୍ରତିନିଧି ମଣ୍ଡଳ ହାଟଡିହି ବ୍ଲକର ପୁର୍ବତନ ଚେୟାରମ୍ୟାନ ପର୍ଶୁରାମ ପେଡାଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ସୋମନାଥ ଦାସ, ପୁର୍ବତନ ସୋସୋ ସରପଞ୍ଚ ବୈଲୋଚନ ନାୟକ, ଶିକ୍ଷାବିତ ଅନ୍ତର୍ଜାମୀ ରାଉତ, ମଧୁସୁଦନ ସାମଲ, ଗୋଲଖ ଜେନା, ଦେବେନ୍ଦ୍ର କୁମାର ଖୁଣ୍ଟିଆ, ପିତାମ୍ବର ଦେହୁରୀ, ରବିନ୍ଦ୍ର କୁମାର ପାଣିଗ୍ରାହୀ ପ୍ର୍ରମୁଖ ବାଲେଶ୍ୱର ନେସ୍କା ମୁଖ୍ୟ କାର୍ଯ୍ୟକାଳୟର ପ୍ରମୁଖ ଅଧିକାରୀ ମାନଙ୍କୁ ସାକ୍ଷାତକରି ଏ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଆଗରପଡା ଗ୍ରିଡରୁ ବିଦ୍ୟାଧରପୁର ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ କରିବାକୁ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଖଣି ଅଞ୍ଚଳ ଆନନ୍ଦପୁର ବିଦ୍ୟୁତ ଡିଭିଜନକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବାରୁ ତଥା ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବାରୁ ନେସ୍କୋ ସିଇଓ ଇଂ ଶ୍ୟାମ ସୁନ୍ଦର ନାୟକ ଏହି ଦାବିର ଯଥାର୍ଥତା ହୃଦୟଙ୍ଗମ କରି ପ୍ରକଳ୍ପର ଆଶୁ କାର୍ଯ୍ୟକାରିତା ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର କିଛି ଲୋକ ଖୁଣ୍ଟ ପକାଇବାକୁ ଜମି ନଛାଡିବାରୁ ପ୍ରତିନିଧି ଦଳର ସଦସ୍ୟମାନେ ଯାଇ ଜମି ମାଲିକଙ୍କୁ ବୁଝାସୁଝା କରିବାପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶେଷରେ ଗତ ଶୁକ୍ରବାର ଦିନ ଆଗରପଡା ଗ୍ରୀଡରୁ ବିଦ୍ୟାଧରପୁର ଷ୍କ୍ରକଚରକୁ ବିଦ୍ୟୁତ ସଂଯୋଗ ଦିଆଯିବାପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଦୀର୍ଘବର୍ଷ ହେଲା ଭୋଗୁଥିବା ସମସ୍ୟା ଦୁର ହେବା ଆଶାରେ ଅଞ୍ଚଳବାସୀଙ୍କ ଖୁସି କହିଲେ ନସରେ । ଏଥିପାଇଁ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପଶୁରାମ ପେଡା, ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ବୈଲୋଚନ ନାୟକ, ଗୋପାଳ ପଟ୍ଟନାୟକ, ଶିକ୍ଷାବିତ ଅନ୍ତର୍ଜାମୀ ରାଉତ, ମଧୁସୁଦନ ସାମଲ, ଗୋଲଖ ଜେନା, ଦେବେନ୍ଦ୍ର କୁମାର ଖୁଣ୍ଟିଆ, ପିତାମ୍ବର ଦେହୁରୀ, ରବିନ୍ଦ୍ର କୁମାର ପାଣିଗ୍ରାହୀଙ୍କ ପକ୍ଷରୁ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।