ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ କେନ୍ଦ୍ରାପଡାର ଫୈସଲ ଦ୍ୱିତୀୟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡାର ପୁଅ ମହମ୍ମଦ ଫହିସ ଫୈସଲ ଆନ୍ତଃ ବିଶ୍ୱବିଦ୍ୟାଳୟର “ଜଷ୍ଟ ଏ ମିନିଟ” ବକ୍ତୃତା ପ୍ରତିଯୋଗିତାରେ ସାରା ଓଡିଶାରେ ଦ୍ୱିତୀୟ ସ୍ଥାନ ହାସଲ କରି ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଫୈସଲ ହେଉଛନ୍ତି କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଆଇନଜୀବୀ ମହମ୍ମଦ ନଇମଙ୍କ ସୁପୁତ୍ର । ଫୈସଲ କେନ୍ଦ୍ରାପଡା ସେଣ୍ଟ ଯୋଶେଫ ସ୍କୁଲରୁ ମାଟ୍ରିକ ପରୀକ୍ଷାରେ କୃତିତ୍ୱର ସହ ୯୬ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ +୨ ପରୀକ୍ଷାରେ ୯୩ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ +୩ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନରତ ଫୈସଲ । ସେ ଜଣେ ମେଧାବୀ ଛାତ୍ର ତଥା ସ୍ୱେଛାକୃତ ରକ୍ତଦାତା ଭାବେ କେନ୍ଦ୍ରାପଡା ଜିଲ୍ଲାରେ ବେଶ ଜଣାଶୁଣା । ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି ଆନ୍ତଃ ବିଶ୍ୱବିଦ୍ୟାଳୟର ବକ୍ତୃତା ପ୍ରତିଯୋଗିତାରେ ଓଡିଶାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଫୈସଲଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରମାଣପତ୍ର, କପ ଓ ୨୫ହଜାର ଟଙ୍କାର ଏକ ଚେକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।