୨୦୦ ଯୁବକ ଯୁବତୀ ସାମିଲ୍‌ : ୧୩ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସ୍ ପରିସର ମଧ୍ୟରେ ୧୩ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛତିଶଗଡ଼, ଝାରଖଣ୍ଡ ରାଜ୍ୟରୁ ୨୦୦ ଆଦିବାସୀ ଯୁବକ, ଯୁବତୀ ଅଂଶଗ୍ରହଣ କରିଛନ୍ତି । ଆଦିବାସୀ ମାନଙ୍କର ଚାଲିଚଳଣୀ, ଖାଦ୍ୟପେୟ, ଭାଷା, ସଂସ୍କୃତି, ଶିକ୍ଷା, ପରମ୍ପରା ଓ ଆଦାନ ପ୍ରଦାନ ସହ ସମାଜର ମୁଖ୍ୟସ୍ରୋତରେ ସେମାନଙ୍କୁ ସାମିଲ୍ କରି ଆଗକୁ ନେବା ହିଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୁଲିସ୍ ଆଇ.ଜି. ଅମିତାଭ ଠାକୁର, କିଟ୍ ବିଶ୍ୱବିଦ୍ୟାଳୟର ଭାଇସ୍ ଚ୍ୟାନ୍‌ସେଲର୍ ପ୍ରଫେସର ସସ୍ମିତାରାଣୀ ସାମନ୍ତ, ବେଦାନ୍ତ ଗ୍ରୁପ୍ ଓଡ଼ିଶାର ଅଧ୍ୟକ୍ଷ ଟି.କେ ଚାନ୍ଦ, ନାବାର୍ଡର ପୂର୍ବତନ ସହ-ପ୍ରବନ୍ଧକ ବିଧୁଭୂଷଣ ପଟ୍ଟନାୟକ, ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା ଶାଖାର ଆଞ୍ଚଳିକ ନିର୍ଦ୍ଦେଶିକା ରିତା ଭଗତ, ଉପ-ନିର୍ଦ୍ଦେଶକ ବିମଲ ପାଟ୍ରିକ୍ ଶାହା, କେଉଁଝର ଜିଲ୍ଲାର ଯୁବ ଅଧିକାରୀ ବସୁନ୍ଧରା ସାହୁ, ଖୋର୍ଦ୍ଧା ଜିଲ୍ଲାର ଯୁବ ଅଧିକାରୀ ବିପିନ୍ କୁମାର, କନ୍ଧମାଳ ଜିଲ୍ଲାର ଯୁବ ଅଧିକାରୀ ନଭନିତ କୁମାର, ବରଗଡ଼ ଜିଲ୍ଲାର ଯୁବ ଅଧିକାରୀ ଜି. ରୋଶନ ଟଣ୍ଡନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର ସଂଗଠନର ସହ କାର୍ଯ୍ୟକ୍ରମ ଅଧିକାରୀ କୈଳାସ ଚନ୍ଦ୍ର ମହାନ୍ତି, ଶୁଭେନ୍ଦ୍ର ନାଥ ସାହୁ, କୁଳମଣି ମଲ୍ଲିକ ଏବଂ ଖୋର୍ଦ୍ଧା ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, ରହଣି ସମୟରେ ଓଡ଼ିଶାର ବିଭିନ୍ନ ଐତିହ୍ୟ, କୀର୍ତ୍ତିରାଜି ମଣ୍ଡିତ ବିଭିନ୍ନ ଦର୍ଶନୀୟ ସ୍ଥାନ, ଜନଜାତି ସଂଗ୍ରହାଳୟ, କଲରାବାଙ୍କର ଆଦର୍ଶ ଗ୍ରାମ ଇତ୍ୟାଦି ଭ୍ରମଣ କାର୍ଯ୍ୟକ୍ରମ ରହିବା ସହ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ନିକଟରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ