ପ୍ରତିଭା ପଣାମ ମଞ୍ଚର ଅଭିନନ୍ଦନ ଗ୍ରନ୍ଥ ଉନ୍ମୋଚନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ କାଠିଆସରା ଠାରେ ପ୍ରତିଭା ପ୍ରଣାମ ମଞ୍ଚ ଆନନ୍ଦପୁର ପକ୍ଷରୁ ଅଭିନନ୍ଦନ ଗ୍ରନ୍ଥ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଭା ପ୍ରଣାମ ମଞ୍ଚ ପକ୍ଷରୁ ବରିଷ୍ଠ ଲେଖିକା ବିଦ୍ୟୁତପ୍ରଭା ଦେଓଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଆଇ.ଏ.ଏସ ଗୋସ୍ୱାମୀ ଗୋଲାମ ଦେବତା ସାରସ୍ୱତ ସର୍ଜନା ଓ ନୀରବଛିନ୍ନ ଅଧ୍ୟବସାୟ ମଣିଷକୁ ପ୍ରକୀର୍ତ୍ତିତ କରାଇଥାଏ ବୋଲି ମତବ୍ୟକ୍ତ କରିଛନ୍ତି । ଯେକୌଣସି ବ୍ୟକ୍ତି ନିଷ୍ଠାପର ଭାବେ ଯେକୌଣସି କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରତିଭା ପ୍ରଣାମ ମଞ୍ଚର ମୁଖ୍ୟ ଉପଦ୍ଦେଷ୍ଟା ଡ.ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଜଂଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ କବି ମଧୁସୁଦନ ଦାସ ଯୋଗଦେଇ କବି ବିଦ୍ୟୁତ ପ୍ରଭାଙ୍କୁ ଜଣେ ସଫଳ ଗୃହିଣୀ, ଉତ୍ତମ ଶିକ୍ଷୟତ୍ରୀ ଓ ଯଶସ୍ୱୀ ଲେଖିକା ଭାବେ ଅଭିହିତ କରିଥିଲେ । ପରିବାରର ସହଯୋଗ ମିଳିଲେ ଜଣେ ମହିଳା ନିଶ୍ଚିତ ଭାବେ ଯେ କୌଣସି କାର୍ଯ୍ୟରେ ନିଜକୁ ପ୍ରତିଷ୍ଠିତ କରିପାରିବ, କବୟତ୍ରୀ ବିଦ୍ୟୁତପ୍ରଭା ହେଉଛନ୍ତି ଏହାର ଏକ ଉଦାହରଣ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ଝାରସୁଗୁଡା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ବିକାଶ ଦାଶ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ମଣିଷକୁ ଆପଣାର କରିବାର କଳା ଜଣେ କବି ପାଖରେ ରହିବା ଉଚିତ । ଯାହାକି ବିଦ୍ୟୁତପ୍ରଭା ଦେଓଙ୍କ ନିକଟରେ ରହିଛି । ସେହିପରି ସମାଜର ସହସମ୍ପାଦକ ଡ.ସୁଜିତ ମିଶ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଜଣେ ଲେଖିକାଙ୍କ ପାଇଁ ଆଜି ଏହି କାଠିଆସରା ଗ୍ରାମଟି ସମଗ୍ର ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରତିଭା ପ୍ରଣାମ ମଞ୍ଚର ଆବାହକ ଶିଶୁ ସାହିତ୍ୟିକ ରତ୍ନାକର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମଞ୍ଚର ଉପଦ୍ଦେଷ୍ଟା ତଥା ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ମଞ୍ଚର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ମଞ୍ଚର ଅନ୍ୟତମ ଉପଦ୍ଦେଷ୍ଟା କବି କିର୍ତ୍ତନ ସାହୁ ଅଭିନନ୍ଦନ ଗ୍ରନ୍ଥ ସମ୍ପର୍କରେ ସୁଚନା ଦେଇଥିଲେ । ଏହି ଅବସରରେ ଲେଖିକା ବିଦ୍ୟୁତପ୍ରଭା ଦେଓଙ୍କ ସମ୍ମାନାର୍ଥେ ପ୍ରକାଶ ପାଇଥିବା ‘ଅଭିନନ୍ଦନ ଗ୍ରନ୍ଥ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ କବି ଅର୍ଜୁନ ଚରଣ ବେହେରାଙ୍କ କବିତା ପୁସ୍ତକ ‘କବିତା କଲ୍ଲୋଳ’କୁ ଅତିଥିମାନେ ଲୋକର୍ପଣ କରିଥିଲେ । ଏଥିରେ ସମ୍ବାଦ ସାହିତ୍ୟଘର ହାଟଡିହି, ବଉଳା ସାହିତ୍ୟ ସଂସଦ, ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁ, ଅନ୍ୱେଷା ସାହିତ୍ୟ ସଂସଦ ସାଇଁକୁଳ, କୁଶଳେଶ୍ୱର ସାହିତ୍ୟ ସଂସଦ ଦେଓଗାଁ, ଶିବନାରାୟଣ ସାହିତ୍ୟ ସଂସଦ ଇଞ୍ଚୋଳ, ଉତ୍କଳମଣି ଶିଶୁ ସାହିତ୍ୟ ସମିତି, କାଠିଆସରା ଭାଗବତ ଟୁଙ୍ଗି, ଭାତକରୁଆ ଭାଗବତ ଟୁଙ୍ଗିର ବହୁ କର୍ମକତ୍ତା , କବି ଳେଖକ ଓ ବିଦ୍ୱାନ ମାନେ ଯୋଗ ଦେଇଥିଲେ । ଦେବବ୍ରତ ସାମଲ, ଅନୀତା ସାମଲ, ଦେବଦତ୍ତ ସାମଲ, ମମତା ସାମଲ, ଦେବସ୍ମିତ ସାମଲ, ଭାରତ ଭୂଷଣ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।